ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ପାଇଁ ସେବିକୁ ତିନି ମାସ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ କୋର୍ଟ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ତିନିମାସ ସମୟ ଦେଇଛନ୍ତି। ସେବି ୬ ମାସ ସମୟ ମାଗିଥିଲା । ହେଲେ କୋର୍ଟ ଅଗଷ୍ଟ ୧୪ ସୁଦ୍ଧା ଏହି ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସେବିକୁ କହିଛନ୍ତି ।

କୋର୍ଟ କହିଛନ୍ତି ଯେ ରିପୋର୍ଟ ଦେଖିବା ପରେ ହିଁ ତଦନ୍ତ ସମୟ ସୀମା ବଢ଼ାଇବାକୁ ବିଚାର କରାଯିବ। ଷ୍ଟକ୍ ମାର୍କେଟର କାର୍ଯ୍ୟରେ ସୁଧାର ଆଣିବା ପାଇଁ ବିଶେଷଜ୍ଞ କମିଟିର ରିପୋର୍ଟ ସବୁ ପକ୍ଷଙ୍କୁ ଦିଆଯିବ। ଜୁଲାଇ ୧୧ରେ ଏହା ଉପରେ ଆଲୋଚନା ହେବ | ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛି।

ବୁଧବାର ଖଣ୍ଡପୀଠ ସେବିଙ୍କୁ ତଦନ୍ତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଲେ ଜଷ୍ଟିସ୍ ପିଏସ୍ ନରସିଂହା ଏବଂ ଜେବି ପାରଦୀୱାଲା । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ କରିବେ।

ଉଲ୍ଲେଖଯୋଗ୍ୟ, ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକାର ସର୍ଟ ସେଲର କମ୍ପାନୀ ହିଣ୍ଡେନବର୍ଗ ଯେଉଁ ଷ୍ଟକ୍ ଜାଲିଆତି ଅଭିଯୋଗ କରିଥିଲା ତାହାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ମାର୍ଚ୍ଚ ୨ରେ ଏକ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ । ଇତି ମଧ୍ୟରେ କମିଟି ଏହାର ରିପୋର୍ଟ ଦାଖଲ କରିସାରିଛି ।

Comments are closed.