ୟୁଟ୍ୟୁବରୁ ୭୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଥିବା ବ୍ୟକ୍ତିଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟୁଟ୍ୟୁବରୁ ୭୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଥିବା ଜଣେ ଆବେଦନକାରୀଙ୍କ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ୨୫,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି । ସୁପ୍ରିମକୋର୍ଟ ଏହି ଆବେଦନକୁ ‘ଭିତ୍ତିହୀନ’ ବୋଲି ଖାରଜ କରିଛନ୍ତି।

ମଧ୍ୟପ୍ରଦେଶର ଏହି ଆବେଦନକାରୀ ଯୁକ୍ତି କରିଥିଲେ ଯେ ୟୁଟ୍ୟୁବରେ ଆସୁଥିବା ବିଜ୍ଞାପନ ଦ୍ୱାରା ତାଙ୍କର ଧ୍ୟାନ ଭଙ୍ଗ ହୋଇଛି ଏବଂ ସେଥିପାଇଁ ସେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ |

ଜଷ୍ଟିସ୍ ଏସ.କେ କୌଲ ଏବଂ ଏସ୍ ଓକାଙ୍କ ଏକ ଖଣ୍ଡପୀଠ କହିଥିଲେ, ଆପଣ ଇଣ୍ଟରନେଟରେ ବିଜ୍ଞାପନ ଦେଖିଛନ୍ତି ବୋଲି କ୍ଷତିପୂରଣ ମାଗୁଛନ୍ତି କାରଣ ଏହା ଦ୍ବାରା ଆପଣଙ୍କ ମନ ଅସ୍ଥିର ହୋଇଛି ଏବଂ ଆପଣ ପରୀକ୍ଷା ପାସ୍ କରିପାରି ନାହାଁନ୍ତି ?

ଖଣ୍ଡପୀଠ କହିଛନ୍ତି ଯେ ଧାରା ୩୨ ଅନୁଯାୟୀ ଏଗୁଡିକ ଭିତ୍ତିହୀନ ଆବେଦନ । ଏହିପରି ପିଟିସନ କେବଳ କୋର୍ଟର ସମୟ ନଷ୍ଟ କରିଥାଏ।

ସୋସିଆଲ ମିଡିଆରେ ନଗ୍ନତା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଆବେଦନକାରୀ ଦାବି କରିଥିଲେ। କୋର୍ଟ ଦେଖିଲେ ଯେ ଆବେଦନକାରୀ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ୟୁଟ୍ୟୁବ୍ ବ୍ୟବହାର କରୁଛନ୍ତି ଯେଉଁଠାରେ ତାଙ୍କୁ ଅଶ୍ଳୀଳ ବିଜ୍ଞାପନ ଦେଖିବାକୁ ପଡୁଛି। କୋର୍ଟ କହିଛନ୍ତି ଯେ ଯଦି ଆପଣ ବିଜ୍ଞାପନ ପସନ୍ଦ କରୁନାହାଁନ୍ତି, ତେବେ ତାହା ଦେଖନ୍ତୁ ନାହିଁ।

ଏହାପୂର୍ବରୁ କୋର୍ଟ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଜରିମାନା ଲଗାଇଥିଲେ। ପରେ ଯେତେବେଳେ ଆବେଦନକାରୀ ଜରିମାନା ହଟାଇବାକୁ ନିବେଦନ କରିଥିଲେ ସେତେବେଳେ କୋର୍ଟ ତାଙ୍କୁ ୨୫,୦୦୦ ଟଙ୍କା ଦେବାକୁ କହିଥିଲେ।

Comments are closed.