ସୁରକ୍ଷା ମାଗିଲେ ପରମବୀର ସିଂ, ସୁପ୍ରିମକୋର୍ଟ ପଚାରିଲେ ‘ ପ୍ରଥମେ ତୁମେ କେଉଁଠି ଅଛ କୁହ’

ନୂଆଦିଲ୍ଲୀ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ତେବେ ସେ ବର୍ତ୍ତମାନ କେଉଁଠି ଅଛନ୍ତି ତାହା ନ ଜଣାଇଲେ ସୁରକ୍ଷା ମିଳିବ ନାହିଁ ବୋଲି ପରମବୀରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

ଆପଣ ଦେଶରେ ଅଛନ୍ତି ନା ବିଦେଶରେ ? ପରମବୀର ସିଂଙ୍କ ଆବେଦନ ଉପରେ ଜଷ୍ଟିସ ସଞ୍ଜୟ କିଶାନ କୌଲ୍ ଏପରି ପ୍ରଶ୍ନ କରିଥିଲେ । ସେ କହିଥିଲେ ଯେ, ଆପଣ କୌଣସି ତଦନ୍ତରେ ଯୋଗ ଦେଇନାହାଁନ୍ତି। କିନ୍ତୁ ସୁରକ୍ଷା ଆଦେଶ ମାଗୁଛନ୍ତି | ଆମର ସନ୍ଦେହ ଭୁଲ୍ ହୋଇପାରେ । କିନ୍ତୁ ଯଦି ଆପଣ ବିଦେଶରେ ଅଛନ୍ତି ଏବଂ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅପେକ୍ଷା କରୁଛନ୍ତି ତେବେ ଆମେ ଏହା କିପରି ଦେବୁ?

ସେ କେଉଁଠାରେ ଅଛନ୍ତି ତାହା ନଭେମ୍ବର ୨୨ରେ ଜଣାଇବାକୁ ସୁପ୍ରିମକୋର୍ଟ ପରମବୀର ସିଂଙ୍କୁ କହିଛନ୍ତି। ଏହି ସମଗ୍ର ପ୍ରସଙ୍ଗରେ ପରମବୀରଙ୍କ ତରଫରୁ କୁହାଯାଇଥିଲା ଯେ ଯଦି ମୋତେ ନିଶ୍ୱାସ ନେବାକୁ ଅନୁମତି ଦିଆଯାଏ, ତେବେ ମୁଁ ଗାତରୁ ବାହାରି ଆସିବି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ ରେ ହେବ।

ଏହାପୂର୍ବରୁ ମୁମ୍ବାଇର ଏକ କୋର୍ଟ ପରମବୀର ସିଂଙ୍କୁ ପଳାତକ ଅପରାଧୀ ଘୋଷଣା କରିବାକୁ ଅନୁମତି ଦେଇଥିଲେ। ଯାହା ପରେ ବର୍ତ୍ତମାନ ମୁମ୍ବାଇ ପୋଲିସ ତାଙ୍କୁ ଜଣେ ଅଭିଯୁକ୍ତ ଭାବରେ ଘୋଷଣା କରିପାରେ ଏବଂ ଗଣମାଧ୍ୟମ ସମେତ ସମସ୍ତ ସମ୍ଭାବ୍ୟ ସ୍ଥାନରେ ତାଙ୍କୁ ପଳାତକ ଘୋଷଣା କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିପାରେ | ସୂଚନା ଅନୁଯାୟୀ- ଯଦି ସେ ୩୦ ଦିନ ମଧ୍ୟରେ ଆଇନ ସାମ୍ନାକୁ ନ ଆସନ୍ତି, ତେବେ ମୁମ୍ବାଇ ପୋଲିସ ତାଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିପାରେ ।

ଜଣେ ବିଲଡରଙ୍କ ଠାରୁ ୧୫ କୋଟି ଟଙ୍କା ବଟି ଆଦାୟ ଅଭିଯୋଗରେ ଜୁଲାଇ ୨୨ରେ ମୁମ୍ବାଇର ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନ ପରମବୀର ସିଂଙ୍କ ସହ ପାଞ୍ଚଜଣ ପୋଲିସ୍ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବା ଦିନଠାରୁ ପରମବୀର ସିଂଙ୍କର କୌଣସି ପତ୍ତା ମିଳୁ ନାହିଁ।

Comments are closed.