ଇଡବ୍ଲୁଏସ୍ କୋଟା ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମ୍ବିଧାନର ୧୦୩ ତମ ସଂଶୋଧନର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିଜର ରାୟ ସଂରକ୍ଷିତ ରଖିଛନ୍ତି।

ସମ୍ବିଧାନର ଏହି ସଂଶୋଧନ ଅନୁଯାୟୀ, କଲେଜ ଆଡମିଶନ ଏବଂ ସରକାରୀ ଚାକିରିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍) ପାଇଁ ସରକାର ୧୦ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି।

ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ଗତ କିଛି ଦିନ ଧରି ଇଡବ୍ଲୁଏସ କୋଟା ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରିଛି କି ନାହିଁ ତାହାର ଶୁଣାଣି କରିଥିଲା ।

ଏହି ମାମଲାର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ପ୍ରତିନିଧିତ୍ୱ କରିଥିବା ବେଳେ ଶିକ୍ଷାବିତ ମୋହନ ଗୋପାଳ ଏବଂ ଅନ୍ୟ ବରିଷ୍ଠ ଓକିଲମାନେ ଇଡବ୍ଲୁଏସ କୋଟା ବିରୋଧରେ ପକ୍ଷ ରଖିଥିଲେ।

ଶିକ୍ଷାବିତ୍ ମୋହନ ଗୋପାଳ ପ୍ରଥମେ ସେପ୍ଟେମ୍ବର ୧୩ରେ ସୁପ୍ରିମକୋର୍ଟ ପୀଠ ସମ୍ମୁଖରେ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ। ଇଡବ୍ଲୁଏସ କୋଟା ସଂଶୋଧନକୁ ବିରୋଧ କରି ଗୋପାଳ ଏହାକୁ ପଛ ଦ୍ୱାର ଦେଇ ସଂରକ୍ଷଣ ଅବଧାରଣାକୁ ନଷ୍ଟ କରିବାର ପ୍ରୟାସ ବୋଲି ଯୁକ୍ତି କରିଥିଲେ ।

ରବିବର୍ମା କୁମାର, ପି ୱିଲସନ, ମୀନାକ୍ଷୀ ଆରୋରା, ସଞ୍ଜୟ ପାରିକ, କେ.ଏସ୍ ଚୌହାନ ଏବଂ ଓକିଲ ଶାଦନ ଫରାସତଙ୍କ ସମେତ ବରିଷ୍ଠ ଓକିଲମାନେ ମଧ୍ୟ ଇଡବ୍ଲୁଏସ ସଂରକ୍ଷଣକୁ ସମାଲୋଚନା କରି କହିଥିଲେ ଯେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ଗରିବ ଲୋକଙ୍କୁ ଏଥିରେ ସାମିଲ କରାଯାଇ ନାହିଁ।

ଏହି ସଂଶୋଧନକୁ ସମର୍ଥନ କରି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ସାଧାରଣ ବର୍ଗର ଗରିବ ପରିବାର ପାଇଁ ଏହି ଇଡବ୍ଲୁଏସ କୋଟା ଜରୁରୀ।

ଏହି ମାମଲାରେ ଅତି କମରେ ୪୦ଟି ପିଟିସନର ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୨୦୧୯ରେ ‘ଜନହିତ ଅଭିଯାନ’ ତରଫରୁ ଦାଖଲ ହୋଇଥିବା ମୂଳ ପିଟିସନ ସମେତ ଅଧିକାଂଶ ଆବେଦନ ସମ୍ବିଧାନ ସଂଶୋଧନ (୧୦୩ ତମ) ଆଇନ ୨୦୧୯ର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ ।

Comments are closed.