ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଝଟକା, ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ଲାଗିଛି ବଡ଼ ଝଟକା । ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଏହି ମାମଲାରେ ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ କେବଳ ୧୦୦୦ ଟଙ୍କା ଜରିମାନା ସହ ଛାଡିଥିଲେ । କିନ୍ତୁ ଏହା ବିରୋଧରେ ପୀଡ଼ିତ ପରିବାର ପକ୍ଷରୁ ସିଦ୍ଧୁଙ୍କ ଦଣ୍ଡ ପରିମାଣ ବଢ଼ାଇବାକୁ ଅପିଲ କରି ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ଏହାକୁ ଗ୍ରହଣ କରି ଉଚ୍ଚତମ ନ୍ୟାୟାଳୟ ସିଦ୍ଧୁଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୭ ଡିସେମ୍ବର ୧୯୮୮ ରେ ସିଦ୍ଧୁ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁଙ୍କ ସହ ପଟିଆଲାର ଶେରୱାଲ୍ ଗେଟ୍ ବଜାରକୁ ଯାଇଥିଲେ | ଏହି ଅଞ୍ଚଳ ତାଙ୍କ ଘରଠାରୁ ୧.୫ କିଲୋମିଟର ଦୂରରେ ଅବସ୍ଥିତ | ସିଦ୍ଧୁ ସେତେବେଳେ ଜଣେ କ୍ରିକେଟର ଥିଲେ। ତାଙ୍କର ଆନ୍ତର୍ଜାତୀୟ କ୍ୟାରିୟର ମାତ୍ର ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା |

ଶେରୱାଲ୍ ଗେଟ୍ ବଜାରରେ କାର ପାର୍କିଂକୁ ନେଇ ୬୫ ବର୍ଷିୟ ଗୁରୁନମ ସିଂଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ରାଗିଯାଇ ସିଦ୍ଧୁ ଗୁରୁନମ ସିଂଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏହାପରେ ଗୁରନାମ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ । ଗୁରୁନମ ସିଂଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେହି ଦିନ କୋଟୱାଲି ଥାନାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦରଙ୍କ ବିରୋଧରେ ଉଦ୍ଦେଶ୍ୟ ବିହୀନ ହତ୍ୟା ମାମଲା ରୁଜୁ ହୋଇଥିଲା। ସେସନ୍ସ କୋର୍ଟରେ ମାମଲାର ବିଚାରଣା ଆରମ୍ଭ ହୋଇଥିଲା। ୧୯୯୯ରେ ସେସନ୍ସ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ।

୨୦୦୨ରେ ପଞ୍ଜାବ ସରକାର ସିଦ୍ଧୁଙ୍କ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ସମୟରେ ସିଦ୍ଧୁ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୪ ଲୋକସଭା ନିର୍ବାଚନରେ ​​ସେ ବିଜେପି ଟିକେଟରେ ଅମୃତସର ଆସନରେ ଲଢ଼ି ଜିତିଥିଲେ।

ଡିସେମ୍ବର ୨୦୦୬ରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଥିଲା। ହାଇକୋର୍ଟ ସିଦ୍ଧୁ ଏବଂ ସାନ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏଥିସହ ଉଭୟଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା। ଏହାପରେ ସିଦ୍ଧୁ ଲୋକସଭାରୁ ଇସ୍ତଫା ଦେଇଥିଲେ।

ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଦିବଂଗତ ବିଜେପି ନେତା ଅରୁଣ ଜେଟଲୀ ସିଦ୍ଧୁଙ୍କ ପକ୍ଷରୁ ଏହି ମାମଲା ଲଢିଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ। ପରେ ସର୍ବୋଚ୍ଚ ନ୍ୟାୟାଳୟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ କେବଳ ଏକ ହଜାର ଟଙ୍କା ଜୋରିମାନା କରି ଛାଡ଼ି ଦେଇଥିଲେ। ତେବେ ପୀଡିତଙ୍କ ପରିବାର ପକ୍ଷରୁ ସିଦ୍ଧୁଙ୍କ ଦଣ୍ଡ ପରିମାଣ ବଢ଼ାଇବାକୁ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାୟର କରାଯାଇଥିଲା ।

Comments are closed.