ବର୍ଷାଦିନ ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଆକ୍ସନ ପ୍ଲାନ

ଭୁବନେଶ୍ୱର- ବର୍ଷାଦିନ ପୂର୍ବରୁ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି । ଏନେଇ ପୌର ପ୍ରଶାସନ ନିର୍ଦ୍ଦେଶରେ ସବୁ ପୌରାଞ୍ଚଳକୁ ଚିଠି ଲେଖାଯାଇଛି । ବର୍ଷା ପୂର୍ବରୁ ସହରାଞ୍ଚଳର ସବୁ ଡ୍ରେନର ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନେଜ ବିଭାଗ ଓ ଜଳସମ୍ପଦ ବିଭାଗର ମାଇନ ଜଳସେଚନ ଡିଭିଜନ ସହ ପୌରାଞ୍ଚଳ ଅଧିକାରୀମାନେ ମିଳିତ ଭାବେ ସବୁ ଡ୍ରେନର ଯାଞ୍ଚ କରିବେ । ଡ୍ରେନ ଓ ମାନହୋଲ ଗୁଡିକର ଶତ ପ୍ରତିଶତ ଯାଞ୍ଚ କରାଯିବ ।

ସମ୍ଭାବ୍ୟ ଜଳବନ୍ଦୀ ହେଉଥିବା ଅଞ୍ଚଳ ଓ ଫୁଟପାଥରେ ମୁକୁଳା ଡ୍ରେନ କିମ୍ବା ଖୋଲା ମ୍ୟାନହୋଲ ରହିବ ନାହିଁ । କୌଣସି ଅଞ୍ଚଳରେ ମୁକୁଳା ଡ୍ରେନ ଥିଲେ ତାକୁ ସ୍ଲାବ ପକାଇ ଘୋଡାଯିବ । ଆବଶ୍ୟକ ପଡିଲେ ବ୍ୟାରିକେଡିଂ କରାଯିବ । ଜଳବନ୍ଦୀ ଅଞ୍ଚଳ ଚିହ୍ନଟ କରି ତୁରନ୍ତ ଜଳ ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୌର ପ୍ରଶାସନ ନିର୍ଦ୍ଦେଶକ । ଡ୍ରେନ ଚ୍ୟାନେଲଗୁଡିକୁ ମୁକ୍ତ ରଖିବାକୁ ଯେଉଁ ସ୍ଥାନରେ ଜବରଦଖଲ ହୋଇଛି ତାହାକୁ ଉଚ୍ଛେଦ କରାଯିବ । ବିଭିନ୍ନ ସ୍ଥାନରେ ନିର୍ମାଣ ସାମଗ୍ରୀ ଯୋଗୁଁ ମଧ୍ୟ ଡ୍ରେନ ଚୋକ୍ ହେଉଛି । ଏହା ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନ ଚ୍ୟାନେଲ ବନ୍ଦ ହେବାର ଅନ୍ୟତମ କାରଣ ହେଉଛି ବ୍ୟାପକ ପଲିଥିନ ବ୍ୟବହାର । ତେଣୁ ପଲିଥିନ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.