ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଜାହାଙ୍ଗୀରପୁରୀ ଅଞ୍ଚଳରେ ଉତ୍ତର ଦିଲ୍ଲୀ ନଗର ନିଗମ (ଏନଡିଏମସି ) ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ନିର୍ଦ୍ଦେଶ ଦେବାବେଳେ ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ନେତୃତ୍ୱରେ ଏକ ତିନିଜଣିଆ ବେଞ୍ଚ କହିଛନ୍ତି ଯେ ଆସନ୍ତାକାଲି ଗୁରୁବାର ଦିନ ଏହି ମାମଲାର ଶୁଣାଣି ହେବ।

ଜାହାଙ୍ଗୀରପୁରୀ ଅଞ୍ଚଳରେ ବିଜେପି ଶାସିତ ଏନଡିଏମସି ପକ୍ଷରୁ ଆଜି ଜବରଦଖଲ ଉଚ୍ଛେଦ ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଅଞ୍ଚଳରେ ବେଆଇନ ନିର୍ମାଣ ହଟାଇବା ପାଇଁ ବୁଲଡୋଜର ବି ପହଞ୍ଚିଥିଲା । ହେଲେ ସୁପ୍ରିମକୋର୍ଟ ଏନଡିଏମସି ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ ଅଭିଯାନ ଉପରେ ରୋକ୍ ଲଗାଇଛନ୍ତି ।

ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଉପରକୁ ଟେକାମାଡ଼ ନେଇ ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସା ଘଟିଥିଲା। ଉକ୍ତ ହିଂସାରେ ୯ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ୨୪ ଜଣଙ୍କୁ ଗିରଫ କରାଯାଇଛି।

Comments are closed.