ବିହାରରେ ଜାତି ଭିତ୍ତିକ ଜନଗଣନା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ, ଶୁକ୍ରବାର ହେବ ଶୁଣାଣି

ନୂଆଦିଲ୍ଲୀ: ବିହାରରେ ଜାତି ଭିତ୍ତିକ ଜନଗଣନା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ସର୍ଭେକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ‌। ଏଥିପାଇଁ ଶୁକ୍ରବାରକୁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଆବେଦନରେ କୁହାଯାଇଛି ଯେ କେବଳ କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା କରିପାରିବେ । କାରଣ ଏପରି ଅଧିକାର କେବଳ କେନ୍ଦ୍ରର ଅଛି। ସେଥିପାଇଁ ଏହା ସମ୍ବିଧାନର ବିରୁଦ୍ଧ ।

ଏହି ଆବେଦନକୁ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସମ୍ମୁଖରେ ତାଲିକାଭୁକ୍ତ କରାଯାଇଛି । ସେ ଏହାର ଶୁଣାଣି ପାଇଁ ଶୁକ୍ରବାର ଦିନ ଧାର୍ଯ୍ୟ କରିଛନ୍ତି।

ଜାତି ଗଣନା ସମ୍ବନ୍ଧରେ ବିହାର ସରକାରଙ୍କ ବିଜ୍ଞପ୍ତି “ଭେଦଭାବପୂର୍ଣ୍ଣ ଏବଂ ଅସାମ୍ବିଧାନିକ” ବୋଲି ପିଟିସନରେ ଦାବି କରାଯାଇଛି। ଓକିଲ ବରୁଣ କୁମାର ସିହ୍ନା ଏହି ଜନହଵ ଦାଖଲ କରିଛନ୍ତି।

ଗତ ବର୍ଷ ଜୁନ୍ ମାସରେ ବିହାର ସରକାର ରାଜ୍ୟରେ ଜାତି ସର୍ଭେ ପାଇଁ ଅନୁମତି ଦେଇଥିଲେ।

୧୨.୭ କୋଟି ଜନସଂଖ୍ୟା, ୨.୫୮ କୋଟି ପରିବାର ଏହି ସର୍ଭେରେ ଅନ୍ତର୍ଭୁକ୍ତ ହେବେ ଯାହା ଚଳିତ ବର୍ଷ ମେ ୩୧ରେ ଶେଷ ହେବ।

ଯଦିଓ ଏହାକୁ ଜାତି ଜନଗଣନା କୁହାଯାଇ ନାହିଁ କିନ୍ତୁ ଜାତି ସମ୍ବନ୍ଧୀୟ ସୂଚନା ଏଥିରେ ସଂଗୃହୀତ ହେବ |

ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୧ ରେ ଶେଷ ହେବ | ଏଥିରେ ଘର ସଂଖ୍ୟା ଗଣାଯିବ | ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଜାତି ସମ୍ବନ୍ଧୀୟ ସୂଚନା ସଂଗ୍ରହ କରାଯିବ |

Comments are closed.