ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ସ କାର୍ଯ୍ୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌, ନୂଆ ସଂସଦ ଭବନ ଶିଳାନ୍ୟାସକୁ ଅନୁମତି

ନୂଆଦିଲ୍ଲୀ – ସେଣ୍ଟ୍ରାଲ ଭିଷ୍ଟା ପ୍ରାଜେକ୍ଟ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ଯାଏଁ ଏହି ପ୍ରୋଜେକ୍ଟ ସମ୍ବନ୍ଧୀୟ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ । ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ମାମଲା ବିଚାରାଧୀନ ରହିଥିବା ସତ୍ତ୍ୱେ ଏହି ପ୍ରୋଜେକ୍ଟର କିଛି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ନୂଆ ସଂସଦ ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମ ଉପରେ କୌଣସି ରୋକ୍ ଲଗାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଆଜି ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ, ଏହି ପ୍ରୋଜେକ୍ଟ ସମ୍ବନ୍ଧୀୟ କୌଣସି ନିର୍ମାଣ କାର୍ଯ୍ୟ ପରବର୍ତ୍ତୀ ଆଦେଶ ଯାଏଁ ହୋଇପାରିବ ନାହିଁ । ଏହାଛଡ଼ା ପ୍ରୋଜେକ୍ଟ ସ୍ଥଳରେ କୌଣସି ଭଙ୍ଗାରୁଜା ମଧ୍ୟ କରାଯିବ ନାହିଁ । ତେବେ ନୂଆ ସଂସଦ ଭବନ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି କଟକଣା ଲଗାଇ ନାହାନ୍ତି । ନୂଆ ସଂସଦ ଭବନର ଶିଳାନ୍ୟାସ ଓ ଭୂମି ପୂଜନ ଆସନ୍ତା ୧୦ ତାରିଖରେ ହେବ । ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ମାମଲାରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ସୁପ୍ରିମକୋର୍ଟ ଆଦେଶକୁ ପାଳନ କରାଯିବ । ପରବର୍ତ୍ତୀ ଆଦେଶ ନ ଆସିବା ଯାଏଁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟରେ କୌଣସି ନିର୍ମାଣ କାର୍ଯ୍ୟ ହେବ ନାର୍ହି । ସୂଚନାଯୋଗ୍ୟ ଯେ, ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ ନୂଆ ସଂସଦ ଭବନ ନିର୍ମାଣ କରାଯିବ ।

Comments are closed.