ଅନ୍ତର୍ଜାତୀୟ ବିମାନସେବା କଟକଣା ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ଏକ ସର୍କୁଲାର ଜାରି କରି ଡିଜିସିଏ ଏହି ସୂଚନା ଦେଇଛି | ତେବେ ଆନ୍ତର୍ଜାତୀୟ କାର୍ଗୋ ଏବଂ ଅନୁମତି ପ୍ରାପ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଏହି ସମୟ ମଧ୍ୟରେ ଜାରି ରହିବ | ଏଥିସହ ଡିଜିସିଏ କହିଛି ଯେ ମନୋନୀତ ରୁଟ୍ ଉପରେ ପୂର୍ବରୁ ନିର୍ଦ୍ଧାରିତ ଆନ୍ତର୍ଜାତୀୟ ବିମାନ ମଧ୍ୟ ଏହି ସମୟ ମଧ୍ୟରେ ନିଜ ବିମାନ ସେବା ଅବ୍ୟାହତ ରଖିପାରିବେ।

କେନ୍ଦ୍ର ସରକାର ଅଗଷ୍ଟ ୩୧ ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ହଟାଇବାକୁ ବିଚାର କରୁଥିଲେ। ତେବେ ବିଶ୍ୱର ବିଭିନ୍ନ ଦେଶରେ କରୋନାର ଡେଲଟା ଭେରିଏଣ୍ଟ ମାମଲା ବୃଦ୍ଧି ଏବଂ ମହାମାରୀର ତୃତୀୟ ଲହରର ଦୃଷ୍ଟିରୁ ସରକାର ଏହି କଟକଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ୨୩ ମାର୍ଚ୍ଚ ୨୦୨୦ରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଅବଶ୍ୟ ଗତ ଏକ ବର୍ଷ ମଧ୍ୟରେ ଆନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା କୋହଳ କରାଯାଇଛି । ଯେଉଁ ଦେଶ ସହିତ ଭାରତ ସରକାରଙ୍କ ବାୟୁ ବବଲ୍ ଚୁକ୍ତି ରହିଛି ସେହି ଦେଶଗୁଡ଼ିକ ମଧ୍ୟରେ ବିମାନ ସେବା ଜାରି ରହିଛି।

ଏହାଛଡ଼ା ବନ୍ଦେ ଭାରତ ମିଶନ ଅଧୀନରେ ଗତ ଦେଢ଼ ବର୍ଷ ମଧ୍ୟରେ ବିଦେଶରେ ରହୁଥିବା ଅନେକ ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।

Comments are closed.