ଆଜିଠୁ ଟି୨୦ ବିଶ୍ୱକପ୍, ୨୪ରେ ପାକିସ୍ତାନ ବିପକ୍ଷରେ ଭାରତର ଅଭିଯାନ

ମସ୍କାଟ୍‌: ଆଇପିଏଲ୍ ପରେ ଏବେ ସମସ୍ତଙ୍କ ନଜର ଟି୨୦ ବିଶ୍ୱକପ୍ ଉପରେ । ଏହି ମେଗା ଇଭେଣ୍ଟ୍ ରବିବାର ଠାରୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ସହ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ପପୁଆ ନ୍ୟୁ ଗିନିର ମୁକାବିଲା ଓମାନ ସହ ହେବ । ଆସନ୍ତାକାଲି ଆଉ ଏକ ମ୍ୟାଚରେ ବାଂଲାଦେଶ-ସ୍କଟଲାଣ୍ଡ ମୁହାଁମୁହିଁ ହେବେ ।

ମୋଟ ୧୬ ଟିମକୁ ନେଇ ଅନୁଷ୍ଠିତ ହେବ ଟି୨୦ ବିଶ୍ୱକପ୍ । ଟୁର୍ଣ୍ଣାମେଣ୍ଟକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମ ତଥା ଯୋଗ୍ୟତା ପର୍ଯ୍ୟାୟ ଏବଂ ସୁପର-୧୨ ରାଉଣ୍ଡ । ଆଠଟି ଦଳକୁ ନେଇ ପ୍ରଥମ ପର୍ଯ୍ୟାୟ ଖେଳାଯିବ । ଏହି ୮ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ୍‌-୧ରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନେଦରଲାଣ୍ଡ୍‌ସ ଏବଂ ନାମିବ୍ୟା ରହିଛନ୍ତି । ଗ୍ରୁପ୍‌-୨ରେ ବାଂଲାଦେଶ ସହ ସ୍ପଟଲାଣ୍ଡ୍‌, ପପୁଆ ନ୍ୟୁ ଗୁନି ଏବଂ ଓମାନ ଅଛନ୍ତି ।

ପ୍ରତ୍ୟେକ ଦଳ ପରସ୍ପର ସହ ଥରେ ଲେଖାଏଁ ଖେଳିବେ । ପ୍ରଥମ ପର୍ଯ୍ୟାୟର ମ୍ୟାଚ୍ ଗୁଡିକ ଓମାନର ମସ୍କାଟ ସହ ୟୁଏଇର ଶାରଜା ଓ ଆବୁଧାବିରେ ଖେଳାଯିବ । ଏହି ପର୍ଯ୍ୟାୟରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ପର୍ଯ୍ୟାୟର ଚାରି ଶ୍ରେଷ୍ଠ ଦଳ ସୁପର-୧୨ ରାଉଣ୍ଡକୁ ଉନ୍ନୀତ ହେବେ । ପ୍ରଥମ ପର୍ଯ୍ୟାୟର ଶ୍ରେଷ୍ଠ ଚାରି ଦଳ ସୁପର-୧୨ ରାଉଣ୍ଡରେ ଶୀର୍ଷ ୮ ମାନ୍ୟତାପ୍ରାପ୍ତ ଦଳ ସହ ଯୋଗଦେବେ । ସୁପର-୧୨ ରାଉଣ୍ଡ ଅକ୍ଟୋବର ୨୩ରୁ ଆରମ୍ଭ ହେବ । ସୁପର-୧୨ ରାଉଣ୍ଡରେ ମଧ୍ୟ ଦଳ ଗୁଡିକୁ ଦୁଇ ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ୍‌-୧ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଯୋଗ୍ୟତା ପର୍ଯ୍ୟାୟର ଦୁଇ ଦଳ ରହିବେ । ଗ୍ରୁପ୍‌-୨ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସହ ଯୋଗ୍ୟତା ପର୍ଯ୍ୟାୟର ଦୁଇ ଦଳ ରହିବେ । ସୁପର-୧୨ ରାଉଣ୍ଡରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ଗୁଡିକ ଶାରଜା, ଆବୁଧାବି ଓ ଦୁବାଇରେ ଖେଳଯିବ ।

ସୁପର-୧୨ ରାଉଣ୍ଡରେ ମଧ୍ୟ ପ୍ରତି ଗ୍ରୁପର ପ୍ରତ୍ୟକ ଦଳ ପରସ୍ପର ମଧ୍ୟରେ ଥରେ ଲେଖାଏଁ ଖେଳିବେ ଏବଂ ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଚାରି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ ।

ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଆଇସିସି ଟ୍ରଫି ଲକ୍ଷ୍ୟରେ ଥିବା ଭାରତ ତାର ଅଭିଯାନ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ପ୍ରାୟ ପାଞ୍ଚ ବର୍ଷ ପରେ ଟି୨୦ ବିଶ୍ୱକପ୍ ଆୟୋଜନ ହେଉଛି । ଶେଷଥର ୨୦୧୬ରେ ଭାରତରେ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା । ଟି୨୦ ବିଶ୍ୱକପ୍‌-୨୦୨୧ ଭାରତରେ ହେବାର ଥିଲା । ହେଲେ କରୋନା ସଂକ୍ରମଣ ଦୃଷ୍ଟିରୁ ଟୁର୍ଣ୍ଣାମେଣ୍ଟକୁ ୟୁଏଇ ଓ ଓମାନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭାରତ ପାଖରେ ଏହି ବିଶ୍ୱକପର ଆୟୋଜନ ଅଧିକାର ରହିବ । ବିଶ୍ୱକପର ଫାଇନାଲ ନଭେମ୍ବର ୧୪ରେ ଦୁବାଇରେ ଅନୁଷ୍ଠିତ ହେବ । ବିଶ୍ୱକପ୍ ବିଜେତା ଦଳ ପାଇଁ ୧୨ କୋଟି ପୁରସ୍କାର ରାଶି ରଖାଯାଇଛି । ରନର୍ସ ଅପ୍ ଦଳ ୬ କୋଟି ଟଙ୍କା ପାଇବ । ସେମିଫାଇନାଲିଷ୍ଟ, ସୁପର-୧୨ ରାଉଣ୍ଡ ଏବଂ ପ୍ରଥମ ପର୍ଯ୍ୟାୟ ପାଇଁ ମଧ୍ୟ ପୁରସ୍କାର ରାଶି ରଖାଯାଇଛି ।

Comments are closed.