ଠକେଇ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ

ଭୁବନେଶ୍ୱର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ । ଏକ ଚାକିରି ଠକେଇ ମାମଲାରେ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଆଜି ବିବାଦୀୟ ବିଧାୟକଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ତରଫରୁ ଟାଟା ମୋଟର୍ସ କଂପାନିରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ବିଧାୟକଙ୍କୁ ଗିରଫ କରାଯାଇଛି । ଆକାଶ ପାଠକ ନିଜକୁ ଟାଟା ମୋଟର୍ସ କଂପାନିର ଏମ୍‌ଡି ଭାବେ ପରିଚୟ ଦେଇ ଲୋକଙ୍କୁ ଚାକିରି ଦେବା ନାଁରେ ମୋଟା ରକମର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ବି ସଂପୃକ୍ତ ଥିବା ପ୍ରମାଣ ମିଳିଥିବା ଓଡିଶା ପୋଲିସ କ୍ରାଇମବ୍ରାଂଚ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ।

କୋଭିଡ -୧୯ ସଂକଟ ସମୟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପାଠକ ପରିବାର ସହ ଅୟସ କରୁଥିବା ଅଭିଯୋଗ ହୋଇଥିଲା । ସେ ଚାଟାର୍ଡ ଫ୍ଲାଇଟରେ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଇଥିଲେ । ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା । ନିଲମ୍ବିତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ବେଆଇନ ଆର୍ଥିକ କାରବାରରେ ପ୍ରଦୀପଙ୍କ ମଧ୍ୟ ସଂପୃକ୍ତି ରହିଛି ବୋଲି ଅଭିଯୋଗ ହୋଇଛି ।

Comments are closed.