କାବୁଲ ବିମାନବନ୍ଦରରୁ ଭାରତୀୟଙ୍କ ସହ ୧୫୦ ଲୋକଙ୍କୁ ତାଲିବାନ ଅପହରଣ କରି ନେଇଥିବା ସୂଚନା

କାବୁଲ: ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରୁ ଅପହରଣ ହୋଇଥିବା ଭାରତୀୟଙ୍କ ସମେତ ପ୍ରାୟ ୧୫୦ ଲୋକ ସୁରକ୍ଷିତ ଅଛନ୍ତି। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ ତାଲିବାନ ଏହି ଲୋକଙ୍କୁ ତାଲିବାନ ନିକଟସ୍ଥ ଏକ ଗ୍ୟାରେଜ୍ କୁ ଅପହରଣ କରିନେଇଥିଲା । ସେଠାରେ ତାଲିବାନ ସମସ୍ତଙ୍କ ପରିଚୟ ପଚାରିବା ସହ ସେମାନଙ୍କ ପାସପୋର୍ଟ ଯାଞ୍ଚ କରିଥିଲା। ପରେ ତାଲିବାନ ସମସ୍ତଙ୍କୁ ଛାଡ଼ି ଦେଇଥିଲା ।

ଅପହରଣକାରୀମାନେ ସେମାନଙ୍କୁ କହିଥିଲେ ଯେ ସମସ୍ତଙ୍କୁ କାବୁଲ ବିମାନବନ୍ଦରକୁ ସୁରକ୍ଷିତ ଫେରାଇ ନିଆଯିବ। ଅପହୃତ ହୋଇଥିବା ସମସ୍ତ ଲୋକ କାବୁଲ ବିମାନବନ୍ଦରକୁ ଫେରିଥିବା ସୂଚନା ମିଳିଛି | ଅପହରଣ ହୋଇଥିବା ଅଧିକାଂଶ ଲୋକ ଭାରତୀୟ କିନ୍ତୁ ସେମାନଙ୍କ ମଧ୍ୟରେ ଆଫଗାନିସ୍ତାନ ନାଗରିକ ଏବଂ ଶିଖ୍ ମଧ୍ୟ ଥିଲେ। ଭାରତୀୟଙ୍କୁ ମାଡ ମରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏହି ଘଟଣା ନେଇ ଭାରତ ସରକାର ଏଯାବତ କିଛି ସ୍ପଷ୍ଟ କରିନାହାନ୍ତି। ଅନ୍ୟପକ୍ଷରେ ତାଲିବାନ ଭାରତୀୟଙ୍କୁ ଅପହରଣ ଖବରକୁ ଖଣ୍ଡନ କରିଛି।
ଆଜି ସକାଳେ କାବୁଲର ହମିଦ କରଜାଇ ବିମାନବନ୍ଦର ନିକଟରୁ ଏହି ସମସ୍ତ ଲୋକଙ୍କୁ ଅପହରଣ କରାଯାଇଥିଲା ବୋଲି ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମ ‘କାବୁଲ ନାଓ’ କହିଥିଲା ।

ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ କାବୁଲ ବିମାନବନ୍ଦର ବାହାରେ ଭାରତୀୟ ଅଧିକାରୀଙ୍କ ଏକ ଟିମ୍ ଉପସ୍ଥିତ ଅଛନ୍ତି। ଏହି ଅଧିକାରୀମାନେ ଫସି ରହିଥିବା ଭାରତୀୟମାନଙ୍କୁ ସାହାଯ୍ୟ କରୁଛନ୍ତି। ଆଜି ସକାଳେ ୮୫ ଜଣ ଭାରତୀୟଙ୍କୁ ନେଇ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ ସ୍ବଦେଶ ଫେରିଛି ।

Comments are closed.