ତାମିଲନାଡୁ ବିଧାନସଭାରେ ନିଟ୍ ପରୀକ୍ଷା ବିରୋଧରେ ବିଲ୍ ପାରିତ

ଚେନ୍ନାଇ: ନିଟ୍ ପରୀକ୍ଷାରୁ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଛାଡ଼ ଦେବା ପାଇଁ ସୋମବାର ତାମିଲନାଡୁ ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି । ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍)ରୁ ରାଜ୍ୟର ଡାକ୍ତରୀ ଛାତ୍ରମାନଙ୍କୁ ସ୍ଥାୟୀ ଛାଡ଼ ପ୍ରଦାନ କରିବାକୁ ଏହି ବିଲ୍ ଆଣିଥିଲେ ତାମିଲନାଡୁ ସରକାର । ଏବେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ବିଜେପିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ଗୃହରେ ଏହି ସଂକଳ୍ପକୁ ସମର୍ଥନ କରିଥିଲେ। ଏହି ବିଲରେ ଦ୍ୱାଦଶ ଶ୍ରେଣୀର ପ୍ରଦର୍ଶନ ଭିତ୍ତିରେ ଡାକ୍ତରୀ ପାଠ୍ୟକ୍ରମରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆଡ଼ମିଶନ ପାଇଁ ବ୍ୟବସ୍ଥା ରହିଛି। ବିଧାନସଭାରେ ଏହି ବିଲ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଅନ୍ୟ ଦଳମାନଙ୍କୁ ଏହି ବିଲ୍ କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।

ଷ୍ଟାଲିନ କହିଥିଲେ ଯେ କ୍ଷମତାକୁ ଆସିବା ପରେ ରାଜ୍ୟରୁ ନିଟ୍ ପରୀକ୍ଷା ରଦ୍ଦ କରିବାକୁ ଡିଏମକେ ପଦକ୍ଷେପ ନେଇଛି। ସେ କହିଛନ୍ତି, ‘ଆମ ସରକାର ନିଟ୍ ରଦ୍ଦ କରି ଦ୍ୱାଦଶ ମାର୍କ ଆଧାରରେ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି। ନିଟ୍ ରୁ ସ୍ଥାୟୀ ଛାଡ ପାଇଁ ମୁଁ ଏହି ବିଲକୁ ସମର୍ଥନ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି |
ନିଟ୍ ପରୀକ୍ଷା ପୂର୍ବରୁ ରାଜ୍ୟର ଜଣେ ୧୯ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବାରୁ ଏହାକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ନିଟ୍ ବିରୋଧରେ ବିଲ୍ ଆଣିଥିବା କୁହାଯାଉଛି। ୧୯ ବର୍ଷ ବୟସ୍କ ଡାକ୍ତରୀ ପ୍ରାର୍ଥୀ ସଲେମଙ୍କ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ତୃତୀୟ ଥର ପାଇଁ ନିଟ୍ ପରୀକ୍ଷା ଦେବା ପୂର୍ବରୁ ସେ ହତାଶାରେ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଇଛି ।

Comments are closed.