କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ସହ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସୌଜନ୍ୟମୂଳକ ସାକ୍ଷାତ, ଫୁଟବଲ୍ ପଡ଼ିଆର ବିକାଶ ନିମନ୍ତେ ପ୍ରସ୍ତାବ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଜି ଇଲେକ୍‌ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଆଜି ପୂର୍ବାହ୍ନରେ କୁଳପତି ପ୍ରଫେସର ତ୍ରିପାଠୀ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ଏଥି ସହ କ୍ରୀଡ଼ା ପାଇଁ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଛି । ଏଥିପାଇଁ କୁଳପତି ଶ୍ରୀ ତ୍ରିପାଠୀ ରାଜ୍ୟ ସରକାର ତଥା କ୍ରୀଡ଼ା ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଅବସରରେ କୁଳପତି ଶ୍ରୀ ତ୍ରିପାଠୀ ବିଶ୍ୱବିଦ୍ୟାଳୟଠାରେ ଏକ ଫୁଟବଲ ପଡ଼ିଆ ବିକଶିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ମନ୍ତ୍ରୀ ଶ୍ରୀ ବେହେରା ଗ୍ରହଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ଖୁବ୍‌ଶୀଘ୍ର ମନ୍ତ୍ରୀ ଶ୍ରୀ ବେହେରା ନିଜେ ବାଲେଶ୍ୱର ଗସ୍ତରେ ଯାଇ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିବେ ବୋଲି କହିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଏବଂ ଯୁବସମାଜର ଉନ୍ନତି ପାଇଁ ଯେଉଁ ବିରାଟ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବା ଆମର ପ୍ରଥମ ପ୍ରାଥମିକତା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ବିଶ୍ୱବିଦ୍ୟାଳୟର ଶିକ୍ଷା ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ କୁଳପତିଙ୍କ ସହ ଆଲୋଚନା କରିଥିଲେ ।

Comments are closed.