କାଶ୍ମୀରରେ ବଢ଼ୁଛି ସଂଖ୍ୟାଲଘୁ ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କୀ ଆକ୍ରମଣ, ଆଉ ଦୁଇ ଶ୍ରମିକଙ୍କୁ ହତ୍ୟା

ଶ୍ରୀନଗର: କାଶ୍ମୀରରେ ସଂଖ୍ୟାଲଘୁ ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରବାସୀ ଶ୍ରମିକ ଓ ବୁଲା ବେପାରୀଙ୍କ ଉପରେ ତୃତୀୟ ଥର ଆକ୍ରମଣ ହୋଇଛି। ରବିବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର କୁଲଗାମର ଏକ ଘରେ ପଶି ଆଖି ବୁଜା ଗୁଳି ଚଳାଇ ବିହାରର ଦୁଇଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ ବୋଲି ଦାବି କରିନାହାଁନ୍ତି। ସୁରକ୍ଷା ବାହିନୀ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଆରମ୍ଭ କରିଛି। ନିହତ ଶ୍ରମିକମାନେ ଏକ ଭଡା ଘରେ ରହୁଥିଲେ। ଏହାପୂର୍ବରୁ ଶନିବାର ମଧ୍ୟ ଶ୍ରୀନଗର ଏବଂ ପୁଲୱାମାରେ ଦୁଇଟି ପୃଥକ ଆକ୍ରମଣରେ ଆତଙ୍କବାଦୀମାନେ ବିହାର ଏବଂ ଉତ୍ତରପ୍ରଦେଶର ଦୁଇଜଣ ଛୋଟ ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ।

ରବିବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ଟାରେ ହଠାତ୍ ଦୁଇରୁ ତିନି ଜଣ ଆତଙ୍କବାଦୀ ଲାରାନ୍ ଗାଜିପୋରା ଜଙ୍ଗଲ ଅଞ୍ଚଳରେ ଏକ ଘରେ ପ୍ରବେଶ କରିଥିଲେ। ଘରେ ଏକ କୋଠରୀରେ ବସିଥିବା ଶ୍ରମିକଙ୍କ ଉପରେ ସେମାନେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଘଟଣା ପରେ ଆତଙ୍କବାଦୀମାନେ ସେଠାରୁ ପଳାଇ ଯାଇଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକଙ୍କ ନାମ ରାଜା ଋଷି ଦେବ, ଯୋଗୀନ୍ଦ୍ର ଋଷି ଦେବ ବୋଲି ଜଣାପଡିଛି।

ଏହି ଘଟଣା ପରେ ଜମ୍ମୁ-କଶ୍ମୀର ପୋଲିସର ସେନା ରାଷ୍ଟ୍ରିୟ ରାଇଫଲ୍ସ, ସିଆରପିଏଫ୍ ଏବଂ ଏସ୍ଓଜିର ଯବାନ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଘଟଣାସ୍ଥଳର ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଏପର୍ଯ୍ୟନ୍ତ କୌଣସି ଟେର୍ ମିଳିନାହିଁ। ଇନ୍ସପେକ୍ଟର ଜେନେରାଲ କାଶ୍ମୀର ବିଜୟ କୁମାର ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି।

Comments are closed.