ଡିଜେ ସାଉଣ୍ଡ୍ ନେଲା ଜୀବନ, ବାହାଘର ପ୍ରୋସେସନରେ ନାଚୁ ନାଚୁ ଟଳି ପଡ଼ିଲେ ଯୁବକ

ଭୋପାଳ: ଡିଜେ ହେଲା କାଳ । ଡିଜେର ଉଚ୍ଚ ସାଉଣ୍ଡ୍ ଯେ ଘାତକ ସାଜିପାରେ ତା’ର ଏକ ଦୁଃଖଦ ଦୃଷ୍ଟାନ୍ତ ମଧ୍ୟପ୍ରଦେଶର ଉଜ୍ଜୈନରେ ଦେଖିବାକୁ ମିଳିଛି । ଏଠାରେ ଏକ ବାହାଘର ପ୍ରୋସେସନ ବେଳେ ଡିଜେର ହାଇ ଭଲ୍ୟୁମ୍ ସାଉଣ୍ଡ୍ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | ମୃତ ଯୁବକ ଜଣକ ବାହାଘର ପ୍ରୋସେସନର ଅନ୍ୟତମ ସଦସ୍ୟ ଥିଲେ । ସେ ଏହି ପ୍ରୋସେସନର ଭିଡିଓ କରୁଥିବାବେଳେ ଯୁବକ ଜଣକ ହଠାତ୍ ଚେତାଶୂନ୍ୟ ହୋଇ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ, ଡିଜେର ହାଇ ସାଉଣ୍ଡ ଯୋଗୁଁ ସେ ହୃଦଘାତର ଶିକାର ହୋଇଥିଲେ |

ସୂଚନା ଅନୁଯାୟୀ, ଉଜ୍ଜୈନ ନିକଟ ଆମ୍ବୋଦିଆ ଡେମ ନିବାସୀ ୧୮ ବର୍ଷୀୟ ଲାଲ ସିଂହ ତାଙ୍କ ବନ୍ଧୁ ବିଜୟଙ୍କ ବିବାହକୁ ଯାଇଥିଲେ । ଲାଲ ସିଂହ ତାଙ୍କ ସାଙ୍ଗମାନଙ୍କ ସହିତ ବରଯାତ୍ରୀ ପ୍ରସୋସନରେ ଡିଜେ ପଛରେ ନାଚୁଥିଲେ, ଏହି ସମୟରେ ସେ ମୋବାଇଲ ଦ୍ଵାରା ଭିଡିଓ କରୁଥିବା ବେଳେ ଲାଲ ସିଂହ ହଠାତ୍ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ଲାଲ ସିଂହଙ୍କୁ ଡାକ୍ତରଖନାରେ ମୃତ ଘୋଷଣା କରାଯାଇଥିଲା |

ହୃଦଘାତ ଯୋଗୁଁ ଲାଲ ସିଂଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି। ଡାକ୍ତର କହିଛନ୍ତି ଯେ ଡିଜେର ହାଇ ଭଲ୍ୟୁମ୍ ସାଉଣ୍ଡ୍ ଯୋଗୁଁ ଶରୀରରେ ଅସ୍ୱାଭାବିକ ଗତିବିଧି ଘଟିଥାଏ ଯାହା ମାନବ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

Comments are closed.