୧୨ ଘଣ୍ଟା ମଧ୍ୟରେ ଦୁଇ ନେତାଙ୍କୁ ହତ୍ୟା, କେରଳର ଆଲାପୁଝାରେ ଉତ୍ତେଜନା, ୧୪୪ ଧାରା ଜାରି

ଥିରୁବନନ୍ତପୁରମ୍: କେରଳର ଆଲାପୁଜା ଜିଲ୍ଲାରେ ବିରୋଧୀ ବିଜେପି ଏବଂ ସୋସିଆଲ୍ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ (ଏସଡିପିଆଇ) ର ଦୁଇ ନେତାଙ୍କ ହତ୍ୟା ନେଇ ଉତ୍ତେଜନା ପ୍ରକାଶ ପାଇଛି। ହିଂସା ଆଶଙ୍କାରେ ପୋଲିସ ଆଲାପୁଜାରେ ଧାରା ୧୪୪ ଲଗାଇ ବଡ଼ ସମାବେଶ ଉପରେ କଟକଣା ଲଗାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଦୁଇ ନେତାଙ୍କ ହତ୍ୟା ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଏସଡିପିଆଇର ରାଜ୍ୟ ସଚିବ କେ.ଏସ୍ ଶାନଙ୍କୁ ହତ୍ୟା କରାଯାଇଥିଲା। ପୋଲିସ କହିଛି ଯେ ଶାନ ଏକ ଦୁଇ ଚକିଆ ଯାନରେ ଯାଉଥିବା ବେଳେ ତାଙ୍କୁ ଏକ ଗ୍ୟାଙ୍ଗ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ମଧ୍ୟରାତ୍ରିରେ କୋଚିର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି।

ଶାନଙ୍କ ହତ୍ୟା ପାଇଁ ବିଜେପି ଷଡ଼ଯନ୍ତ୍ର ରଚିଥିଲା ବୋଲି
ଏସଡିପିଆଇ ଅଭିଯୋଗ କରିଛି।

ହତ୍ୟାକାଣ୍ଡର ୧୨ ଘଣ୍ଟା ଭିତରେ କିଛି ଅଜ୍ଞାତ ବ୍ୟକ୍ତି କେରଳ ବିଜେପିର ଓବିସି ୟୁନିଟ୍ ସଚିବ ରଣଜିତ୍ ଶ୍ରୀନିବାସନଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି। ପୋଲିସ ଉଭୟ ମାମଲାର ତଦନ୍ତ କରୁଛି। ଏହି ଦୁଇ ହତ୍ୟାକାଣ୍ଡ ପାଇଁ ବିଜେପି ଏବଂ ଏସଡିପିଓ ପରସ୍ପରକୁ ଅଭିଯୋଗ କରିଛନ୍ତି। ରଣଜିତଙ୍କୁ ଛୁରାମାଡ଼ କରାଯାଇଥିବା ବିଜେପି ଅଭିଯୋଗ କରିଛି।

Comments are closed.