କଂଗ୍ରେସ ସଭାପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଥରୁର, ଖଡଗେ; ମଇଦାନକୁ ଓହ୍ଲାଇଲେ ଏହି ତୃତୀୟ ପ୍ରାର୍ଥୀ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ପ୍ରଥମେ ଶଶି ଥରୁର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହା ପରେ ଗାନ୍ଧୀ ପରିବାରର ପସନ୍ଦ କୁହାଯାଉଥିବା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କଂଗ୍ରେସ ମୁଖ୍ୟାଳୟ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦଳର ସଭାପତି ପାଇଁ ଖଡଗେ ଓ ଥରୁରଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ । ଏହି ରେସରେ ଖଡଗେ ଆଗରେ ରହିଛନ୍ତି । ଖଡଗେଙ୍କ ପାଇଁ ଦଳର ୩୦ ଜଣ ବଡ ନେତା ପ୍ରସ୍ତାବକ ହୋଇଥିବା ବେଳ ଶଶି ଥରୁର ଏକଘରିକିଆ ଦେଖାଯାଉଥିଲେ। ଏହି ଦୁଇଜଣ ଭେଟେରାନଙ୍କ ବ୍ୟତୀତ ଝାଡ଼ଖଣ୍ଡ କଂଗ୍ରେସ ନେତା କେଏନ୍ ତ୍ରିପାଠୀ ମଧ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଦଳର ଅସନ୍ତୁଷ୍ଟ ଜି -୨୩ ଗୋଷ୍ଠୀ ନେତା ଆନନ୍ଦ ଶର୍ମା ଏବଂ ମନୀଷ ତିୱାରୀ ମଧ୍ୟ ଖଡଗେଙ୍କ ପ୍ରସ୍ତାବକ ମଧ୍ୟରେ ଥିଲେ। ଏହାପୂର୍ବରୁ ମନୀଷ ତିୱାରୀ କହିଥିଲେ ଯେ ସେ ଏବଂ ତାଙ୍କ ସହଯୋଗୀ ଆନନ୍ଦ ଶର୍ମା ଖଡଗେଙ୍କୁ ସମର୍ଥନ କରିବେ।

ଗାନ୍ଧୀ ପରିବାରର ସମର୍ଥନ କାରଣରୁ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ସଭାପତି ପଦ ହାତେଇବା ପାଇଁ ଫେଭରିଟ୍ ବିବେଚିତ ହୋଇଛନ୍ତି । ଶ୍ରମିକ ଆନ୍ଦୋଳନରୁ କ୍ୟାରିଅର୍ ଆରମ୍ଭ କରିଥିବା ଖଡଗେ ଯଦି ଦେଶର ସର୍ବ ପୁରାତନ ଦଳ କଂଗ୍ରେସର କମାଣ ସମ୍ଭାଳନ୍ତି, ଜଗଜୀବନ ରାମଙ୍କ ପରେ ସେ ଏହି ଦଳର ଦ୍ୱିତୀୟ ଦଳିତ ସଭାପତି ହେବେ।

ଦିଗବିଜୟ ସିଂହ ମଧ୍ୟ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଥିଲେ। ତେବେ ଏହି ଦୌଡ଼ରେ ମଲ୍ଲିକାର୍ଜୁନ ଖଡଗେ ଲମ୍ଫ ଦେବା ପରେ ସେ ଓହରି ଯାଇଥିଲେ ।

Comments are closed.