ବନ୍ୟାଚଂଳ ପରିଦର୍ଶନ କଲା ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ , କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫ ଶହ ଟଙ୍କାର, ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବନ୍ୟାଚଂଳ ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଜରୁରୀ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ଗୁରୁତର ଭାବେ କ୍ଷତିଗ୍ରସ୍ତ ଓ ଜଳମଗ୍ନ ଗାଁର ପରିବାରବର୍ଗଙ୍କୁ ୫୦ କେଜି ଚାଉଳ ଓ ୫ ଶହ ଟଙ୍କା ତୁରନ୍ତ ଯୋଗାଇ ଦିଆଯିବ । ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବା ସହ ଏସଡିଆରଏଫ୍ ନିୟମ ଅନୁସାରେ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ମଧ୍ୟରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଓ ପରବର୍ତୀ ସପ୍ତାହରେ ସହାୟତା ଦିଆଯିବ । ଏସଡିଆରଏଫ ନିୟମ ଅନୁସାରେ କ୍ଷତିଗ୍ରସ୍ତଙ୍କୁ ଲୁଗାପଟା ଓ ବାସନକୁସନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏସଡିଆରଏଫ୍ ନିୟମ ଅନୁସାରେ କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ସହାୟତା ଯୋଗାଇ ଦିଆଯିବ । ବନ୍ୟା କ୍ଷତିଗ୍ରସ୍ତ ଅଂଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳିବ । ଏହାଛଡା କ୍ଷତିଗ୍ରସ୍ତ ଅଂଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶରୁ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ । ପରେ ସେ ଉଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଥିଲେ । ସାଂପ୍ରତିକ ବନ୍ୟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର , କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଖୋର୍ଧା ଜିଲ୍ଲାର ଅନେକ ଅଂଚଳ କ୍ଷତିଗ୍ରସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Comments are closed.