ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ, ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ବିଭିନ୍ନ ପଦକ୍ଷେପ ସଂପର୍କରେ ବିଭାଗ ଦେଲା ସୂଚନା

ଭୁବନେଶ୍ୱର – ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୯ ଗୋଟି ସୁପର ବାଇକ୍ ଗ୍ରୁପ୍‌ର ୮୦ ଜଣ ସଦସ୍ୟଙ୍କୁ ନେଇ ଏକ ବାଇକ୍ ରାଲି ଆୟୋଜିତ କରାଯାଇଥିଲା । ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ତା ପ୍ରଚାର ପାଇଁ ଇନ୍‌ଫୋ ସିଟିଠାରୁ ଆରମ୍ଭ ହୋଇ ଧଉଳି ଶାନ୍ତି ସ୍ତୁପଠାରେ ଶେଷ ହୋଇଥିଲା ବାଇକ ରାଲି । ଧଉଳିରେ ସମାପନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପ୍ରଚାର ହୋଇଥିଲା । ରାଜ୍ୟରେ ପର୍ଯ୍ୟଟନର ଦ୍ୱାର ଉନ୍ମୁକ୍ତ ହେବ ବୋଲି ନବୀନ କହିଛନ୍ତି ।

କୋଭିଡ-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ଜରୁରୀ ପଦକ୍ଷେପ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଥିଲେ ।

ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ପ୍ରାକୃତିକ ପରିବେଶ ଭିତିକ ପର୍ଯ୍ୟଟନ ସ୍ଥଳୀଗୁଡିକ ପର୍ଯ୍ୟଟକମାନଙ୍କୁ ବହୁଳ ଭାବରେ ଆକୃଷ୍ଟ କରିପାରିଛି । ବିଗତ ୫ ବର୍ଷ ମଧ୍ୟରେ ଏଗୁଡିକ ସ୍ଥାନୀୟ ସମୁଦାୟ ଦ୍ୱାରା ପରିଚାଳିତ ହୋଇ ବେଶ୍ ପରିଚିତ ଲାଭ କରିବା ସହ ବହୁ ସମ୍ମାନ ମଧ୍ୟ ହାସଲ କରିଛି, ଯାହା ଏହି ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ତା ‘ଗ୍ରାମ୍ୟ ପର୍ଯ୍ୟଟନର ପୁନଃ ଜାଗରଣ’କୁ ସୂଚାଏ ।

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସୂଚନା ଦେଇଛି । ‘ଓଡିଶା ସଡକ ପଥରେ’ ନାମକ ଏକ ଅଭିନବ ପର୍ଯ୍ୟଟନ ଅଭିଯାନ କଳିଙ୍ଗ ମୋଟର ବାଇକ ଚାଳକ ଓ ସୁପର ବାଇକ୍ ରାଲି ମାଧ୍ୟମରେ ଆରମ୍ଭ କରାଯାଇଛି । ଏହା ଦ୍ୱାରା ରୋଡ୍ ନେଟୱର୍କର ସଦୁପଯୋଗ କରି ପର୍ଯ୍ୟଟକମାନେ ବିଭିନ୍ନ ପ୍ରାକୃତିକ ତଥା ପର୍ଯ୍ୟଟନ ସ୍ଥଳୀର ଉପଭୋଗ କରିପାରିବେ । ଏହି ସଡକ ପଥ ଅଭିଯାନ ମାଧ୍ୟମରେ ଓଟିଡିସି ‘ବଣଭୋଜି’ ନାମରେ ଏକ ପ୍ୟାକେଜ ଆରମ୍ଭ କରିଛି ।

ରାଜ୍ୟର ବ୍ୟଂଜନ ତଥା ଆଦୃତ ହୋଇଥିବା ଖାଦ୍ୟର ପ୍ରଚାର ପ୍ରସାର ନିମନ୍ତେ ‘ନିମନ୍ତ୍ରଣ’ ନାମରେ କେତେଗୁଡାଏ ରେଷ୍ଟୁରାଂଟ୍ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନିମନ୍ତ୍ରଣ ରେଷ୍ଟୁରାଂଟ୍ ଭୁବନେଶ୍ୱର, ପୁରୀ ଓ ସମ୍ବଲପୁରରେ ଖୋଲାଯିବ ।

ପର୍ଯ୍ୟଟନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଫଟୋଗ୍ରାଫି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଥିଲା ।

Comments are closed.