ସେ ଜଣେ ବିଚକ୍ଷଣ ପ୍ରଶାସନିକ ଅଧିକାରୀ, ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ଓ ନିଜ ଦାୟିତ୍ବ ପ୍ରତି ନିଷ୍ଠାବାନ। ପୁଣି ଦୂରଦୃଷ୍ଟି ସମ୍ପନ୍ନ ପ୍ରଶାସକ ଯିଏ କି ଆଗାମୀ ବର୍ଷମାନଙ୍କ ପାଇଁ ଯୋଜନା କରି ତାହାକୁ ସଫଳ ରୂପ ଦେଇପାରନ୍ତି। ହେଲେ ଅତ୍ୟନ୍ତ ସରଳ, ସାଧାସିଧା ଓ ବିନମ୍ର, ପ୍ରଚାରରୁ ଦୂରେଇ ରହିବାକୁ ପସନ୍ଦ କରୁଥିବା ନୂତନ ଓଡ଼ିଶାର ବିନ୍ଧାଣୀମାନଙ୍କ ମଧ୍ୟରୁ ଜଣେ ଯେକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାଇ ଭଳି ଏଇ ଓଡ଼ିଶା ମାଟିର ବିକାଶକୁ ଉଚ୍ଚରୁ ଉଚ୍ଚତ୍ତର ସୋପାନକୁ ନେଇ ଚାଲିଛନ୍ତି। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ପ୍ରଶାସନିକ କଳରେ ୫-ଟି ସଚିବ ଭାବେ ସୁପରିଚିତ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍। ବାଦବିବାଦରୁ ଦୂରରେ ରହି ନିର୍ମଳ ଛବି ଓ ସ୍ଵଚ୍ଛ ଭାବମୂର୍ତ୍ତି ସହ ନୀରବତାର ସହ ରାଜ୍ୟର ପ୍ରଗତିର ସାଧକ ରୂପେ କାମ କରି ଚାଲୁଥିବା ଏହି ଯୁବ ଆଇଏଏସ୍ ଜଣକ ବାସ୍ତବରେ ଜଣେ ନୀରବ କର୍ମଯୋଗୀ କହିଲେ ଅତ୍ୟୁକ୍ତି ହେବନି।
ପ୍ରତିଭାସମ୍ପନ୍ନ ମୂଳତଃ ତାମିଲନାଡୁ ନିବାସୀ ତଥା ୨୦୦୦ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଏହି ଆଇଏଏସ୍ ଅଧିକାରୀଜଣକ ତୃଣମୂଳସ୍ତର ସହ ଯୋଡ଼ି ରହି ଆସିଛନ୍ତି। ପ୍ରତିଟି ସମୟରେ ସେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ ନିକଟତର ହୋଇ ପ୍ରଶାସନକୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରି ଆସିଛନ୍ତି। ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ବେଳେ ସରକାରଙ୍କ ରାଜସ୍ବ ବୃଦ୍ଧି ପାଇଁ ସେ ନେଇଥିଲେ ସଠିକ ପଦକ୍ଷେପ। ଫଳରେ ତତ୍କାଳୀନ ସମୟରେ ସେଠାରୁ ରାଜ୍ୟ ସରକାର ପାଇପାରିଥିଲେ ସର୍ବାଧିକ ରାଜସ୍ବ ଆୟ। ଚାଷୀଙ୍କୁ ସର୍ବନିମ୍ନ ସହାୟକ ଅର୍ଥ ଯେଭଳି ମିଲରମାନେ ପ୍ରଦାନ କରିବେ ତାହାକୁ ସୁନିଶ୍ଚିତ କରାଇ କୃଷକ ସମାଜର ପ୍ରିୟଭାଜନ ହୋଇପାରିଥିଲେ ସେ। ରାଉରକେଲାରେ ମାତ୍ର ୭ ମାସ ଏଡିଏମ୍ ଭାବେ କାର୍ଯ୍ୟରତ ଥିବା ସମୟରେ ଛେଣ୍ଡ କଲୋନିରୁ ଜବରଦଖଲ ଉଚ୍ଛେଦ କରି ୧୫ ବର୍ଷ ପରେ ଲୋକଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରିପାଇବାରେ ସହାୟକ ହୋଇଥିଲେ।
ନିଜର ପ୍ରତିଟି କାର୍ଯ୍ୟକ୍ଷେତ୍ରରେ ସେ ହାସଲ କରିଥିଲେ ବେଶ୍ ଲୋକପ୍ରିୟତା। ରାଜ୍ୟର ସର୍ବବୃହତ୍ ମୟୁରଭଞ୍ଜ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ବେଳକୁ ସେ ଥିଲେ ଦେଶର ଅନ୍ୟତମ ଯୁବ ଜିଲ୍ଲାପାଳ। ବିଶାଳ ଭୌଗୋଳିକ ଅଞ୍ଚଳର ଉପାନ୍ତ, ଦୁର୍ଗମ ସ୍ଥାନକୁ ସେ ବାରମ୍ବାର ଗସ୍ତ କରି ବିକାଶର ଧାରାକୁ ସେଠାରେ ପହଞ୍ଚାଇବାରେ କୌଣସି ହେଳା କରି ନଥିଲେ। ନିଜର ସୁଖସୁବିଧାକୁ ପଛରେ ପକାଇ ଜିଲ୍ଲାବାସୀ ଯେଭଳି ଖୁସିରେ ରହିବେ, ସରକାରୀ ଯୋଜନାର ସୁଫଳ ପାଇବେ ସେଥିପାଇଁ ଦିନରାତି ନିଜ ପରିଶ୍ରମକୁ ଏକାକାର କରି ଦେଇଥିଲେ ସେ। ବିଶେଷ କରି ଭିନ୍ନକ୍ଷମଙ୍କ ସକାଶେ ତାଙ୍କ ପରିଶ୍ରମ ସେତେବେଳେ ସଫଳତାର ରଙ୍ଗ ଆଣିଥିଲା ଯେତେବେଳେ ମୟୁରଭଞ୍ଜ ପାଇଥିଲା ଦିବ୍ୟାଙ୍ଗଙ୍କ ଥଇଥାନ ସକାଶେ ଜାତୀୟ ପୁରସ୍କାର। ଏହି ପ୍ରକ୍ରିୟାକୁ ବ୍ଲକ୍ ଓ ପଞ୍ଚାୟତସ୍ତରରେ ପହଞ୍ଚାଇବାର ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକୁ ସାକାର କରିଥିଲେ ପାଣ୍ଡିଆନ୍ ଯାହା ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ସରକାରୀ ସ୍କିମ୍ ଭାବେ ଗ୍ରହଣୀୟ ହୋଇଥିଲା। ଆଉ ଖୋଦ୍ ପାଣ୍ଡିଆନଙ୍କୁ ମିଳିଥିଲା ସମ୍ମାନଜନକ ହେଲେନ୍ କେଲେର ଆୱାର୍ଡ।
ଭି.କେ.ପାଣ୍ଡିଆନ୍ଙ୍କ ଜିଲ୍ଲାପାଳ ସମୟରେ ଗଞ୍ଜାମ ପାଇଥିଲା ମନରେଗା କାର୍ଯ୍ୟକାରିତା ଦୃଷ୍ଟିରୁ ଶ୍ରେଷ୍ଠ ଜିଲ୍ଲା ଭାବେ ଜାତୀୟ ସମ୍ମାନ। ଏକ ଅଦ୍ବିତୀୟ ପଦକ୍ଷେପ ନେଇ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ଅର୍ଥ ଜମା କରିବା ବ୍ୟବସ୍ଥା ଆରମ୍ଭ କରିଥିଲେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ। ଉଲ୍ଲେଖନୀୟ ଭାବେ ପରବର୍ତ୍ତୀ ସମୟରେ ସାରା ରାଜ୍ୟ ଓ ସାରା ଦେଶରେ ମଧ୍ୟ ଏହି ପଦ୍ଧତି ଆପଣା ଯାଇଥିଲା। ଏଥିରୁ ପାଣ୍ଡିଆନ୍ଙ୍କ ସୁଦୂରପ୍ରସାରୀ ବିଚାର ଓ ଲକ୍ଷ୍ୟର ପ୍ରାମାଣିକତା ସ୍ପଷ୍ଟ ଅନୁମେୟ। ହଜାର ହଜାର ଶ୍ରମିକ ପାଇଥିଲେ ପ୍ରାୟ ୧୦୦ କୋଟି ଟଙ୍କା ପ୍ରାପ୍ୟ। ଏ କ୍ଷେତ୍ରରେ ଦଲାଲ ବା ମଧ୍ୟସ୍ଥିଙ୍କୁ ମୂଳପୋଛ କରି ସ୍ୱଚ୍ଛ ଶାସନକୁ କାର୍ଯ୍ୟକାରୀ କରାଇଥିଲେ ଏହି ଆଇଏଏସ୍ ଅଧିକାରୀଜଣକ। ସେଥିପାଇଁ ତ ଗଞ୍ଜାମ ଦୁଇ ଦୁଇ ଥର ରାଷ୍ଟ୍ରପତି ସମ୍ମାନ ହାତେଇ ପାରିଥିଲା ଆଉ ଜିଲ୍ଲାର ଦୀର୍ଘଦିନର ଦାଦନ ସମସ୍ୟା ମଧ୍ୟ ବେଶ୍ ହ୍ରାସ ପାଇଥିଲା। କିଭଳି ବିଚକ୍ଷଣତାର ସହ କାର୍ଯ୍ୟ କଲେ ତାହାଦ୍ୱାରା ବୃହତ୍ ସମାଜ ଉପକୃତ ହୋଇପାରିବ ତାହା ପ୍ରମାଣିତ କରାଇ ପାରିଥିଲେ ପାଣ୍ଡିଆନ୍।
ଗଞ୍ଜାମରେ ଜିଲ୍ଲାପାଳ ଥିବା ସମୟରେ ଏଚ୍ଆଇଭି ପଜିଟିଭ୍ ଶିଶୁଙ୍କ ଥଇଥାନ ସକାଶେ ସେ ଆରମ୍ଭ କରିଥିଲେ ଶ୍ରଦ୍ଧା ସଞ୍ଜିବନୀ, ତାହା ଏକ ଶାଖାରୁ ଏବେ ଏକ ମହାଦ୍ରୁମରେ ପରିଣତ ହୋଇଛି। ଅନ୍ତେବାସୀମାନେ ଅଛୁଆଁ, ସାମାଜିକ ଲଜ୍ୟାକୁ ଏଡ଼ାଇ ନୂଆ ଉତ୍ସାହର ସହ ନବଜୀବନ ଆରମ୍ଭ କରି ଏବେ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ହେଲେଣି। ନିକଟରେ ଏହାର ଦୁଇ ଅନ୍ତେବାସୀ ପରସ୍ପରକୁ ଜୀବନ ସାଥୀ ଭାବେ ବରଣ କରିଛନ୍ତି ଯେଉଁଥିରେ ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ବର୍ତ୍ତମାନର ୫-ଟି ସଚିବ ତଥା ଏହି ଆଶ୍ରମର ପ୍ରତିଷ୍ଠାତା ପାଣ୍ଡିଆନ୍।
୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରେ ଯୋଗ ଦେବା ସହ ତାଙ୍କର ଆରମ୍ଭ ହୋଇଥିଲା ନୂଆ ମିଶନ୍। ସୀମିତ କ୍ଷେତ୍ର ନୁହେଁ, ସାରା ରାଜ୍ୟର ସାମୂହିକ ବିକାଶ, ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ଦିଗରେ ଅଦ୍ବିତୀୟ କର୍ଭବ୍ୟଭାରକୁ ସେ ନିଜ କାନ୍ଧ ଉପରକୁ ନେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସେ ସାଜିଛନ୍ତି ପରିବର୍ତ୍ତନର ମଶାଲଧାରୀ, ବିକାଶର ଅଗ୍ରଦୂତ। ପ୍ରତିଟି ଓଡ଼ିଆଙ୍କ ମୁହଁରେ ହସ ଭରି ଦେବାର କଠିନ ଆହ୍ବାନ ତଥା ମୁଖ୍ୟମନ୍ତ୍ରୀଙ୍କ ଏଇ ବିଶାଳ ସ୍ବପ୍ନକୁ ବାସ୍ତବ ରୂପ ଦେବା ସକାଶେ ସେ ଅହରହ ପ୍ରୟାସରତ। ସେଥିପାଇଁ ତ ସାଜିଛନ୍ତି ଏକ ଚାମ୍ପିଅନ୍ ଟିମର ଅଲ୍ରାଉଣ୍ଡର୍। ତାଙ୍କ ସଫଳ, ନିର୍ବିବାଦୀୟ କ୍ୟାରିୟର ତଥା ଜନାଦୃତ ପଦକ୍ଷେପମାନଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ସଚିବ ଭଳି ଗୁରୁଦାୟିତ୍ବ ଅର୍ପଣ କରିଥିଲେ। ତାଙ୍କ ତତ୍ତ୍ବାବଧାନରେ ରାଜ୍ୟ ସରକାର ତଥା ପ୍ରଶାସନ ଲୋକାଦୃତ ହେବାରେ ଲାଗିଛି।
ପ୍ରାଚୀନ ଓ ଐତିହ୍ୟସମ୍ପନ୍ନ ସହରକୁ ବିକାଶର ଧାରାରେ ସାମିଲ କରିବା ହେଉ କିମ୍ବା ଦେଶ ଓ ବିଶ୍ଵରେ ଓଡ଼ିଶାକୁ ସ୍ପୋର୍ଟସ୍ ହବ୍ କରିବା, ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଉ କିମ୍ବା ମହିଳା ସଶକ୍ତୀକରଣ, ବିପର୍ଯ୍ୟୟ ମୁକାବିଲା କୁହନ୍ତୁ କିମ୍ବା ଶିଳ୍ପସମୃଦ୍ଧ ରାଜ୍ୟ କରିବା ଦିଗରେ ପାଦେ ପାଦେ ଆଗେଇବା, ଦେଶର ବିପତ୍ତି ସମୟରେ ଓଡ଼ିଶାକୁ ପ୍ରମୁଖ ସହଯୋଗୀର ଭୂମିକାରେ ଅଗ୍ରଣୀ କରାଇବା କିମ୍ବା ଦୁର୍ନୀତିର ମୂଳୋତ୍ପାଟନ… ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଭିଜନ୍, ଚିନ୍ତାଧାରାକୁ ସେ ସତ କରି ଦେଖାଇବା ସକାଶେ ନିଜ ପ୍ରଚେଷ୍ଟାରେ ସାମାନ୍ୟତମ ପଛରେ ରହି ନାହାନ୍ତି। କେବଳ ବିକାଶ ନୁହେଁ, ତା ସହ ମାନବିକତା କ୍ଷେତ୍ରରେ ସେ ଦର୍ଶାଇଛନ୍ତି ଅଦ୍ବିତୀୟ ଉଦାହରଣ। ସର୍ବଦା ହସ ହସ ମୁହଁରେ ଦୃଶ୍ୟମାନ ପାଣ୍ଡିଆନ୍ କାର୍ଯ୍ୟକ୍ଷେତ୍ରରେ ଅନ୍ୟ ପାଇଁ ଅନୁକରଣୀୟ, ପ୍ରେରଣାଦାୟୀ ରହି ଆସିଛନ୍ତି। ଶିକ୍ଷା କ୍ଷେତ୍ରକୁ ଯୁଗପଯୋଗୀ କରିବା ସକାଶେ ସିବିଏସ୍ଇ ଢାଞ୍ଚାରେ ଇଂରାଜୀ ମାଧ୍ୟମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କଥା କୁହନ୍ତୁ କିମ୍ବା ସରକାରୀ ବିଦ୍ୟାଳୟମାନଙ୍କରେ ସ୍ମାର୍ଟ କ୍ଲାସ୍ ରୁମ୍ ନିର୍ମାଣ କରି ସ୍କୁଲରେ ବ୍ୟକ୍ତିତ୍ଵ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପଛରେ ରହିଛି ପାଣ୍ଡିଆନଙ୍କ ଅବଦାନ।
ଧାର୍ମିକ କ୍ଷେତ୍ର ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟସମ୍ପନ୍ନ ସହରରେ ପରିଣତ କରାଇବାର ଯୋଜନାକୁ ଲୋକେ ଏବେ ତୃଣମୂଳସ୍ତରରେ ଅନୁଭବ କଲେଣି। ଏଥିସହ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ହେଉ ବା ସମ୍ବଲପୁରର ସମଲେଇ ମନ୍ଦିର, ଘଟଗାଁ ତାରିଣୀ ପୀଠ ଅଥବା ଗଞ୍ଜାମର ତାରାତାରିଣୀ, ବରଗଡର ନୃସିଂହନାଥ ଅଥବା ବଲାଙ୍ଗୀରର ହରିଶଙ୍କର ପୀଠ, କଳାହାଣ୍ଡିର ସେଣ୍ଟ୍ ପଲ୍ ପ୍ରୋଟେଷ୍ଟାଣ୍ଟ୍ ଚର୍ଚ୍ଚ ଓ କଟକର ମାଉଣ୍ଟ୍ ହାଉସ୍ ଗୀର୍ଜା ଘର ଅଥବା ଭଦ୍ରକର ଦରଗାହ ଏ ହଜୁର ମୁଜାହିଦ୍ ଏ ମିଲ୍ଲତ, ଭୁବନେଶ୍ବରର ଜାମା ମସଜିଦ୍ କିମ୍ବା ସୁନ୍ଦରଗଡ଼ର ଗୁରୁ ସିଂହ ସାହେବ ଗୁରୁଦ୍ୱାରା… ପରିବର୍ତ୍ତନର ଧାରାରେ ଏସବୁ ଯୋଡି ହୋଇ ଆଗେଇ ଚାଲିଛନ୍ତି। ପରିବର୍ତ୍ତନ ସମସ୍ତଙ୍କ ଆଖି ଆଗରେ ସ୍ପଷ୍ଟ ଦୃଶ୍ୟମାନ।
ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ର ଏବେ ଦ୍ରୁତ ବିକାଶଶୀଳ କ୍ଷେତ୍ର ସାଜିଛି। କଟକର ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲକୁ ଏ ପ୍ଲସ୍ ମାନ୍ୟତା ସହ ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟ ସେବାରେ ପରିଣତ କରାଇବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ୫-ଟି କାର୍ଯ୍ୟକ୍ରମରେ ଏଥିପାଇଁ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା। ୫୦୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ, ସ୍ଵତନ୍ତ୍ର ଭାବେ ଉନ୍ନୀତ ସ୍ବାସ୍ଥ୍ୟ ଅନୁଷ୍ଠାନ ପାଲଟିବାକୁ ଯାଉଛି ଏସସିବି। ପୁରୀ ହେଉ କି କନ୍ଧମାଳ, ରାଜ୍ୟରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ହସ୍ପିଟାଲ ପ୍ରତିଷ୍ଠା ପ୍ରକ୍ରିୟା ଜାରି ରହିଛି। ସବୁ ମେଡିକାଲ କଲେଜ ହସ୍ପିଟାଲ, ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଅସହାୟ, ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ନିଦାନ ସେବା ଏବେ ଉପଲବ୍ଧ। ଖୋଦ୍ ୫-ଟି ସଚିବଙ୍କ ସମେତ ପଦସ୍ଥ ଅଧିକାରୀମାନେ ବାରମ୍ବାର ଏସବୁ ପ୍ରତିଷ୍ଠାନ ପରିଦର୍ଶନ କରି ବିକାଶ ପ୍ରକ୍ରିୟାକୁ ଲଗାତାର ତ୍ବରାନ୍ବିତ କରିବାରେ ଲାଗିଛନ୍ତି। ସେଥିପାଇଁ ତ କୋଭିଡ୍- ୧୯ ମହାମାରୀକୁ ସଫଳତାର ସହ ମୁକାବିଲା କରି ଓଡ଼ିଶା ଏବେ ବିଶ୍ବରେ ରୋଲମଡେଲ୍। ରାଜ୍ୟକୁ ଏହି ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପ୍ରସ୍ତୁତ କରାଇବାରେ ପାଣ୍ଡିଆନଙ୍କ ରହିଛି ଅନନ୍ୟ ଭୂମିକା, ସୁଦୂରପ୍ରସାରୀ ଯୋଜନା ଓ ତାହାକୁ କାର୍ଯ୍ୟକାରୀ କରାଇବାକୁ କଠିନ ପ୍ରୟାସ। ନିଜେ ସେ ଅନେକ କୋଭିଡ୍ ହସ୍ପିଟାଲ ଗସ୍ତ କରି ତାହାର ପ୍ରସ୍ତୁତିକୁ ତଦାରଖ କରି ତ୍ବରାନ୍ବିତ କରାଇଛନ୍ତି। ୨୦୩୬ ସୁଦ୍ଧା ଓଡ଼ିଶା କିଭଳି ବିକଶିତ ହେବ ତାହା ବ୍ଲୁ- ପ୍ରିଣ୍ଟକୁ ଏବେ ବାଟ କଢାଇ ନେଉଛନ୍ତି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବ।
ନିକଟ ଅତୀତରେ ଓଡ଼ିଶା ବହୁ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରି ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିପାରିଛି। ୨୦୧୫ କିମ୍ବା ଆଗାମୀ ୨୦୨୩ ବିଶ୍ଵ କପ୍ ହକି ହେଉ ବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍ସିପ୍, ସଫଳ ଆୟୋଜନ ସହ ରାଜ୍ୟ ଓ ବିଶ୍ୱର କ୍ରୀଡ଼ା ମାନଚିତ୍ରରେ ଚମକି ଉଠିଛି ଓଡ଼ିଶା। ଜାତୀୟ ହକି ଦଳର ୫ ବର୍ଷିୟା ପ୍ରାୟୋଜକ ସାଜିଛି ଆମ ରାଜ୍ୟ। କ୍ରୀଡ଼ା ପ୍ରତି ପାଣ୍ଡିଆନ୍ଙ୍କ ପ୍ରେମର ଏହା ନିଚ୍ଛକ ଉଦାହରଣ। ଏକ କ୍ରୀଡ଼ା ଛାତ୍ରାବାସରୁ ଆସିଥିବା ଏହି ଆଇଏଏସ୍ ଜଣକ ହକି ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ରାଜ୍ୟରେ ହକିର ଭିତ୍ତିଭୂମିକୁ ଏତେ ଅଧିକ ବିକଶିତ କରାଇଲେଣି ଯେ ତାହାର ତୁଳନା ନାହିଁ। ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ ସୁନ୍ଦରଗଡରେ ହେବାକୁ ଯାଉଛି। ହକି ସହ ଫୁଟବଲ୍, ରଗ୍ବୀ, ଆଥଲେଟିକ୍ ଆଦି ଖେଳକୁଦରେ ବି ଓଡ଼ିଶା ଆୟୋଜକ ଭାବେ ଚାମ୍ପିଅନ୍ ସାଜିଲାଣି। କଳିଙ୍ଗ ଷ୍ଟାଡିୟମ୍ ତ ଏବେ ଗ୍ଲୋବାଲ୍ ସ୍ପୋର୍ଟସ୍ ଡେଷ୍ଟିନେସନ୍। କେବଳ ଖେଳ ନୁହେଁ, ଖେଳାଳିଙ୍କ ସହ ତାଙ୍କ ଆତ୍ମୀୟତା ମଧ୍ୟ ଚର୍ଚ୍ଚିତ। ଗତବର୍ଷ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଳିଙ୍କ ସହ ଦୀପାବଳି ପାଳିଥିଲେ ପାଣ୍ଡିଆନ୍। ନବୀନ ଓ ପାଣ୍ଡିଆନଙ୍କ ପ୍ରୟାସର ଫଳ ଏୟା ଯେ ନିକଟରେ ଓଡ଼ିଶା ହାତେଇଛି ସମ୍ମାନସ୍ପଦ ଏଫ୍ଆଇଏଚ୍ ପ୍ରେସିଡେଣ୍ଟସ୍ ଆୱାର୍ଡ।
ବ୍ୟକ୍ତିବିଶେଷ ଭାବେ ସେ ଯଥେଷ୍ଟ ସମ୍ବେଦନଶୀଳ। କରୋନା ମହାମାରୀ କାଳରେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ କାର୍ ଡ୍ରାଇଭ୍ କରି ପ୍ୟାରେଡ୍ସ୍ଥଳକୁ ଆଣିବା ତାଙ୍କ ସରଳ ଜୀବନଶୈଳୀର ଏକ ଅଦ୍ବିତୀୟ ଉଦାହରଣ। ପ୍ରଶାସନିକ ସହଯୋଗୀଙ୍କ ସହ ତାଙ୍କ ବନ୍ଧୁତା ତାଙ୍କୁ ଜଣେ ଉତ୍ତମ ମାର୍ଗଦର୍ଶକର ସ୍ଥାନ ଦେଇଥାଏ। ଗୋଟିଏ ପଟେ ବିଶ୍ୱସନୀୟତା, ବିନମ୍ର, ସମ୍ମାନସ୍ପଦ ତ ଆରପଟେ ମଜବୁତ୍, ସ୍ପଷ୍ଟବାଦିତା, ଦୂରଦୃଷ୍ଟି ତଥା ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ନିଶ୍ଚିତ ସାକାର କରିବାର ଦୃଢ଼ ମନୋଭାବ ତାଙ୍କୁ ଆଜି ଜଣେ ଅଦ୍ବିତୀୟ, ପରିବର୍ତ୍ତନର ଧ୍ଵଜାଧାରୀ ପ୍ରଶାସକ ଭାବେ ଗଢି ତୋଳିଛି। ମେ ୨୯ ଜନ୍ମ ଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା।
Comments are closed.