ଆଜିଠୁ ତୃତୀୟ ଟେଷ୍ଟ: ସିରିଜ୍ ଅଗ୍ରଣୀ ବଢ଼ାଇବା ଲକ୍ଷ୍ୟରେ ଭାରତ

ଲିଡ୍ସ,: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବୁଧବାର ଠାରୁ ଆରମ୍ଭ ହେଉଛି । ଲର୍ଡ୍ସ ଟେଷ୍ଟରେ ରୋମାଞ୍ଚକ ବିଜୟ ପରେ ଉତ୍ସାହିତ ଥିବା ଭାରତୀୟ ଦଳ ହେଡିଂଲେରେ ମଧ୍ୟ ସଂଘର୍ଷରତ ଇଂଲଣ୍ଡ ଉପରେ ପ୍ରାଧାନ୍ୟ ବଜାୟ ରଖି ସିରିଜ୍ ଅଗ୍ରଣୀ ବଢ଼ାଇବା ଲକ୍ଷ୍ୟରେ ରହିବ । ପ୍ରାୟ ଦୁଇବର୍ଷ ଧରି ବଡ଼ ଇନିଂସ ଖେଳିନଥିବା ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟରୁ ମଧ୍ୟ ଶତକୀୟ ଇନିଂସ୍ ଦେଖିବା ଆଶାରେ ଅଛନ୍ତି ପ୍ରଶଂସକ ।
କୋହଲି ଶେଷ ଥର ନଭେମ୍ବର ୨୦୧୯ରେ ଏକ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ସେ ଚଳିତ ସିରିଜରେ ଦୁଇ ଥର ୪୦ ରନ୍ ଅତିକ୍ରମ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ତଥାପି ତାଙ୍କଠାରୁ ବଡ଼ ସ୍କୋର ସବୁବେଳେ ଆଶା କରାଯାଏ ଜ୍ଝ ସେ ପ୍ରଥମ ଦୁଇ ଟେଷ୍ଟରେ ଅଫ୍ ଷ୍ଟମ୍ପ ବାହାରେ ଯାଉଥିବା ବଲକୁ ଖେଳି ୱିକେଟ୍ ହରାଇଥିଲେ। ହେଡିଂଲେରେ ଏଭଳି ବଲର ସାମ୍ନା ବେଳେ ଉନ୍ନତ ଟେକନିକ୍ ସହ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଛି।

ଚେତେଶ୍ୱର ପୂଜାରା ଏବଂ ଅଜିଙ୍କ୍ୟ ରାହାଣେଙ୍କ ଫର୍ମ ମଧ୍ୟ ଭାରତ ପାଇଁ ଚିନ୍ତାର ବିଷୟ। ତେବେ ଲର୍ଡସ ଟେଷ୍ଟର ଚତୁର୍ଥ ଦିନରେ ପ୍ରାୟ ୫୦ ଓଭର ବ୍ୟାଟିଂ କରିବା ପରେ ଉଭୟେ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି । ସେମାନଙ୍କ ପ୍ରୟାସ ମ୍ୟାଚକୁ ପଞ୍ଚମ ଦିନକୁ ଟାଣି ନେଇଥିଲା ଯାହା ପରେ ଦ୍ରୁତ ବୋଲରମାନେ ଭାରତକୁ ବିଜୟ ମଣ୍ଡିତ କରି ୧-୦ ସିରିଜ ଅଗ୍ରଣୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଓପନର୍ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ପ୍ରଦର୍ଶନ ଭାରତ ପାଇଁ ବ୍ୟାଟିଂ ବିଭାଗରେ ଏକ ସକରାତ୍ମକ ଦିଗ ହୋଇଛି। ଚ୍ୟାଲେଞ୍ଜିଂ ପରିବେଶରେ ସଂଯମତା ଏବଂ ଟେକନିକ୍ ର ଏକ ଉତ୍ତମ ଉଦାହରଣ ଉପସ୍ଥାପନ କରି ଉଭୟ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ । ଦଳରେ ଆହତ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନ ନେଇଥିବା ରାହୁଲ ପ୍ରତ୍ୟେକ ଇନିଂସରେ ଅଧିକ ଆତ୍ମବିଶ୍ୱାସୀ ମନେ ହେଉଛନ୍ତି ।ଇଂଲଣ୍ଡର ଚ୍ୟାଲେଞ୍ଜିଂ ପରିବେଶର କେଉଁ ବଲ୍ ଖେଳିବେ ଏବଂ କେଉଁଟି ଛାଡିବେ ତାହା ତାହା ସେ ସଠିକ ଜାଣିପାରୁଛନ୍ତି।

ରୋହିତ ମଧ୍ୟ ବହୁତ ଭଲ ଫର୍ମରେ ଥିବା ପରି ମନେହୁଏ । ତେବେ ତାଙ୍କ ପ୍ରିୟ ପୁଲ୍ ସଟ୍ ସେ କେବେ ଖେଳିବେ ସେନେଇ ସେ ନିଶ୍ଚିତ ହେବାକୁ ପଡିବ । କାରଣ ଚଳିତ ସିରିଜରେ ଏହି ସଟ୍ ଖେଳି ହିଁ ସେ ଦୁଇଥର ଆଉଟ୍ ହୋଇଛନ୍ତି । ରିଷଭ ପନ୍ତ ତାଙ୍କ ସ୍ବାଭାବିକ ଶୈଳୀରେ ବ୍ୟାଟିଂ କରୁଥିବାବେଳେ ରବିନ୍ଦ୍ର ଜାଡେଜା ମଧ୍ୟ ସପ୍ତମ ସ୍ଥାନରେ ବହୁତ ଆଶାନୁରୂପ ଭୂମିକା ଗ୍ରହଣ କରିଛନ୍ତି। ଏହା କୁହାଯାଇପାରେ ଯେ ସେ ଜଣେ ବାମହାତୀ ସ୍ପିନର ଅପେକ୍ଷା ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ସ୍ଥାନ ପାଇଛନ୍ତି।

ହେଡିଂଲେରେ ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ ହେବାର ସମ୍ଭାବନା ରହିଛି ଏବଂ ଚାରିଟି ଦ୍ରୁତ ବୋଲରଙ୍କ ସହ ଭାରତ ପଡିଆକୁ ଓହ୍ଲାଇପାରେ । ଏଭଳି ସ୍ଥିତିରେ ଏକାଦଶରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିବ ନା ନାହିଁ ସନ୍ଦେହ। ଶାର୍ଦ୍ଦୁଲ ଠାକୁର ଫିଟ୍ କିନ୍ତୁ କୋହଲି ତାଙ୍କ ପେସ୍ ଆକ୍ରମଣରେ କୌଣସି ପରିବର୍ତ୍ତନ କରିବେ ବୋଲି ଲାଗୁନାହିଁ। ପ୍ରଥମ ଟେଷ୍ଟରୁ ବଞ୍ଚିତ ହୋଇଥିବା ଇଶାନ୍ତ ଶର୍ମା ଲର୍ଡ୍ସରେ ଚମତ୍କାର ବୋଲିଂ କରିଥିଲେ ଏବଂ ଠାକୁରଙ୍କ ଅପେକ୍ଷା ଏହି ଭେଟେରାନ ପେସରଙ୍କୁ ଟିମ୍ ମ୍ୟାନେଜମେଣ୍ଟ ପୁଣି ପ୍ରାଧାନ୍ୟ ଦେବାର ସମ୍ଭାବନା ରହିଛି।

ମହମ୍ମଦ ସିରାଜଙ୍କ ଆଗମନ ସହିତ ଭାରତର ବିଶ୍ୱ ସ୍ତରୀୟ ପେସ୍ ଆକ୍ରମଣ ଆହୁରି ମଜବୁତ ହୋଇଛି। ଲର୍ଡ୍ସ ଟେଷ୍ଟର ପଞ୍ଚମ ଦିନରେ ସିରାଜ ଚମତ୍କାର ବୋଲିଂ କରିଥିଲେ। ସେ କ୍ରମାଗତ ଭଲ ପ୍ରଦର୍ଶନ ସହ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଜ୍ଝ ଭାରତ ଯେବେ ଶେଷଥର ୨୦୦୨ରେ ହେଡିଂଲେରେ ଖେଳିଥିଲା ସେତେବେଳେ ଏକ ଇନିଂସ ଏବଂ ୪୬ ରନରେ ବୃହତ ବିଜୟ ହାସଲ କରିଥିଲା। ବର୍ତ୍ତମାନର ଭାରତୀୟ ଦଳର କୌଣସି ଖେଳାଳିଙ୍କର ଏହି ଗ୍ରାଉଣ୍ଡରେ ଖେଳିବାର ଅଭିଜ୍ଞତା ନାହିଁ ଜ୍ଝ ସେମାନେ ପରିସ୍ଥିତିକୁ କେତେ ଶୀଘ୍ର ଆଡଜଷ୍ଟ କରିବେ ତାହା ଦେଖିବା ମଜାଦାର ହେବ ଜ୍ଝ
ଇଂଲଣ୍ଡ ଆଶା କରୁଛି ଯେ ଡେଭିଡ ମାଲାନଙ୍କ ଆଗମନ ସହିତ ସେମାନଙ୍କର ବ୍ୟାଟିଂ ଦୁର୍ବଳତା ଦୂର ହେବ। ତିନି ବର୍ଷ ପୂର୍ବେ ମାଲାନ୍ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ କିନ୍ତୁ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ୍ ଅଭିଜ୍ଞତା ଅଛି ଜ୍ଝ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ତିନି ନମ୍ବରରେ ଖେଳିବେ ଏବଂ ଏଭଳି ପରିସ୍ଥିତିରେ ହାସିବ ହାମିଦଙ୍କୁ ରୋରୀ ବର୍ନସଙ୍କ ସହ ଇନିଂସ ଓପନ୍ କରିବାକୁ ପଡିପାରେ।

ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ମାନେ ରନ୍ ସ୍କୋର କରିବାର ଉପାୟ ଖୋଜି ଅଧିନାୟକ ଜୋ ରୁଟ୍ ଙ୍କୁ ସହାୟତା କରିବାକୁ ପଡ଼ିବ। ଏପର୍ୟ୍ୟନ୍ତ ରୁଟ୍ ହିଁ ଇଂଲଣ୍ଡ ପାଇଁ ସିଂହଭାଗ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ଅତିରିକ୍ତ ବାଉନ୍ସ ସହିତ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଅସୁବିଧାରେ ପକାଇଥିବା ମାର୍କ ଉଡ୍ ଆହତ ହୋଇଛନ୍ତି ଏବଂ ଏଭଳି ପରିସ୍ଥିତିରେ ସାଦିକ୍ ମହମୁଦ ନିଜ ଟେଷ୍ଟ ଡେବ୍ୟୁ କରିବାକୁ ସୁଯୋଗ ପାଇପାରନ୍ତି।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ (ଓ୍ବିକେଟ୍ କିପର), ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ଶାମି ଉମେଶ ଯାଦବ, କେ.ଏଲ.ରାହୁଲ୍ ।
ଇଂଲଣ୍ଡ: ଜୋ ରୁଟ୍ (ଅଧିନାୟକ), ମୋଇନ୍ ଅଲି, ଜେମ୍ସ ଆଣ୍ଡରସନ୍, ଜୋନାଥନ୍ ବେୟାରଷ୍ଟୋ, ରୋରୀ ବର୍ନସ୍, ଜୋସ୍ ବଟଲର୍ (ଓ୍ବିକେଟ୍ କିପର), ସାମ୍ କରନ୍, ହସିବ ହମିଦ୍, ଡନ୍ ଲରେନ୍ସ, ସାକିବ ମହମୁଦ, ଡେଭିଡ ମାଲାନ, କ୍ରେଗ ଓଭର୍ଟନ୍, ଓଲି ପୋପ୍, ଓଲି ରବିନ୍ସନ୍ ।

Comments are closed.