ଡେନମାର୍କର ସପିଂ ମଲରେ ଗୁଳିକାଣ୍ଡ, ତିନି ମୃତ, ଅନେକ ଆହତ

କୋପେନହେଗେନ୍: ଡେନମାର୍କର ସବୁଠୁ ବଡ଼ ସପିଂ ମଲରେ ଜଣେ ଆତତାୟୀର ଗୁଳିମାଡ଼ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି।

ରବିବାର ଦକ୍ଷିଣ କୋପେନହେଗେନ୍ ସ୍ଥିତ ଫିଲ୍ଡସ୍ ମଲ୍ ରେ ଜଣେ ଯୁବକ ପଶି ହଠାତ୍ ଲୋକଙ୍କ ଉପରକୁ ଫାୟାରିଂ କରିଥିଲା । ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।

ପୋଲିସ୍ ମୁଖ୍ୟ ସୋରେନ୍ ଥମସନ କହିଛନ୍ତି ଯେ ଏହି ଆକ୍ରମଣର କାରଣ ଅସ୍ପଷ୍ଟ ଏବଂ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଏଡ଼ାଇ ଦିଆଯାଇପାରିବ ନାହିଁ।

ପ୍ରଧାନମନ୍ତ୍ରୀ ମ୍ୟାଟ ଫ୍ରେଡେରିକସେନ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହାକୁ ଡେନମାର୍କ ଉପରେ ଆକ୍ରମଣ ବୋଲି କହିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କଷ୍ଟକର ସମୟରେ ଡେନମାର୍କ ଏକଜୁଟ ହୋଇ ପରସ୍ପରକୁ ସମର୍ଥନ କରନ୍ତୁ।

ଡେନମାର୍କର ରାଜ ପରିବାର ମଧ୍ୟ ମୃତକ ଏବଂ ସେମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି।

ପୋଲିସର ସୂଚନାନୁସାରେ ଆକ୍ରମଣକାରୀ ଯୁବକ ପାଖରେ ରାଇଫଲ ଏବଂ ଅସ୍ତ୍ରଶସ୍ତ୍ର ଥିଲା। ଏହି ଆକ୍ରମଣରେ ଅନ୍ୟ କାହାର ସମ୍ପୃକ୍ତି ସମ୍ପର୍କରେ ବର୍ତ୍ତମାନ ସୂଚନା ନାହିଁ। ଯାଞ୍ଚ୍ ପାଇଁ ସେମାନଙ୍କ ପାଖରେ ଥିବା କୌଣସି ଭିଡିଓ ହସ୍ତାନ୍ତର କରିବାକୁ ଦୋକାନୀମାନଙ୍କୁ କୁହାଯାଇଛି।

ଏହି ବହୁ ମହଲା ମଲରେ ପ୍ରାୟ ୧୪୦ଟି ଦୋକାନ ଏବଂ ରେଷ୍ଟୁରାଣ୍ଟ ଅଛି | ଘଟଣା ସମୟରେ ଉପସ୍ଥିତ ଲୋକମାନେ କୁହନ୍ତି ଯେ ଗୁଳିର ଶବ୍ଦ ଶୁଣିବା ମାତ୍ରେ ସେମାନେ ଭୟଭୀତ ହୋଇ ଦୌଡ଼ିବାକୁ ଲାଗିଥିଲେ ।

Comments are closed.