ଜାମ୍ମୁ କାଶ୍ମୀର: ବାରାମୁଲ୍ଲାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ତିନି ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା ବାହିନୀ ଶନିବାର ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ତିନି ଆତଙ୍କବାଦୀଙ୍କୁ ନିପାତ କରିଛି ।

ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳର ହାଥଲଙ୍ଗା ସୀମା ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଏହି ଅପରେସନ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୋଲିସ ଏବଂ ଗୁଇନ୍ଦା ବିଭାଗର ମିଳିତ ଅପରେସନରେ ଆଜି ସକାଳେ ବାରାମୁଲାର ଉରି ଅଞ୍ଚଳରେ ଏଲ୍ଓସି ଦେଇ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି ବୋଲି ସେନାର ଚିନ୍ନା କର୍ପସ ଏକ ଏକ୍ସ ପୋଷ୍ଟରେ ଲେଖିଛି। ‘

ତିନି ଜଣ ଆତଙ୍କବାଦୀ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତେବେ‌ ସତର୍କ ଭାରତୀୟ ସେନା ସେମାନଙ୍କୁ ଉଚିତ ଜବାବ ଦେଇଥିଲା।

ସେନା ସୂଚନା ଅନୁଯାୟୀ, ଏନକାଉଣ୍ଟରରେ ନିହତ ଦୁଇ ଆତଙ୍କବାଦୀଙ୍କ ମୃତଦେହ ଜବତ କରାଯାଇଛି । କିନ୍ତୁ ଆଖପାଖ ଅଞ୍ଚଳରେ ଏକ ପାକିସ୍ତାନୀ ପୋଷ୍ଟରୁ ଗୁଳି ଚାଳନା ହେଉଥିବାରୁ ତୃତୀୟ ଆତଙ୍କବାଦର ମୃତଦେହ ଜବତ କରିବାରେ ଅସୁବିଧା ହେଉଛି। ସେଠାରେ ଏବେ ବି ଅପରେସନ ଜାରି ରହିଛି।

ନିହତ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ବୋଲି ପୋଲିସ କହିଛି।

ବାରାମୁଲ୍ଲାରେ ଅନୁପ୍ରବେଶ ଉଦ୍ୟମ ଏବଂ ଏନକାଉଣ୍ଟର ଏପରି ଏକ ସମୟରେ ହୋଇଛି ଯେତେବେଳେ ଅନନ୍ତନାଗ ଜିଲ୍ଲାର ଜଙ୍ଗଲରେ ଲୁଚିଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଚାରି ଦିନ ଧରି ଏକ ବଡ଼ ଅପରେସନ୍ ଚାଲିଛି।

Comments are closed.