ହରିୟାଣା: ମହିଳା ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ୍, ତିନି ମୃତ

ବାହାଦୂରଗଡ: ହରିୟାଣାର ବାହାଦୂରଗଡରେ ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଏକ ଟ୍ରକ୍ ଚଢ଼ି ଯିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମହିଳାମାନେ ରାସ୍ତାର ମଝିରରେ ଥିବା ଡିଭାଇଡର୍ ଉପରେ ବସି ଘରକୁ ଫେରିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ । ଏତିକି ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ତିନିଜଣ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଛି । ଚାଷୀମାନଙ୍କ ଆନ୍ଦୋଳନ ସ୍ଥଳ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ତିନି ମହିଳାଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ତିନିଜଣ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା କୁହାଯାଇଛି। ଝାଜର ରୋଡ୍ ଫ୍ଲାଏ ଓଭର ତଳେ ଏହି ଦୁର୍ଘଟଣା ଘଟିଛି ​​|

ସୂଚନା ଅନୁଯାୟୀ ଆନ୍ଦୋଳନକାରୀ ମହିଳା ଚାଷୀମାନେ ଘରକୁ ଯିବାକୁ ଅଟୋ ରିକ୍ସାକୁ ଅପେକ୍ଷା କରିଥିଲେ। ଏହି ମହିଳାମାନେ ପଞ୍ଜାବର ମାନସା ଜିଲ୍ଲାର ବାସିନ୍ଦା ଥିଲେ ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ‌।

ଏହି ଦୁର୍ଘଟଣାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଃଖ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି, “ଭାରତ ମାତା, ଦେଶର ଅନ୍ନାଦାତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଉଛି। ଏହି ନିଷ୍ଠୁରତା ଏବଂ ଘୃଣା ଆମ ଦେଶକୁ ଦୁର୍ବଳ କରିଦେଉଛି। ମୋର ସମବେଦନା ।”

Comments are closed.