ଟିଏମସି ନେତା ସାକେତ୍ ଗୋଖଲେଙ୍କୁ ପୁଣି ଗିରଫ କଲା ଗୁଜରାଟ ପୋଲିସ

ଅହମ୍ମଦାବାଦ: ଗୁଜରାଟ ପୋଲିସ ତୃଣମୂଳ କଂଗ୍ରେସ ନେତା ସାକେତ୍ ଗୋଖଲେଙ୍କୁ ପୁଣି ଥରେ ଗିରଫ କରିଛି।

ପୂର୍ବରୁ ଗିରଫ ମାମଲାରେ ଗୋଖଲେ କୋର୍ଟରୁ ଜାମିନ ପାଇଥିଲେ । ହେଲେ ସେ ବିମାନବନ୍ଦରକୁ ଯାଉଥିବା ବେଳେ ମୋର୍ବି ପୋଲିସ ତାଙ୍କୁ ପୁଣି ଗିରଫ କରିଥିଲା ।

ଟିଏମସି ନେତା ଡେରେକ ଓ’ବ୍ରାଇନ୍ କହିଛନ୍ତି, “ଗୁଜରାଟ ପୋଲିସ ଜାମିନ ପାଇବା ପରେ ମଧ୍ୟ ସାକେତ୍ ଗୋଖଲେଙ୍କୁ ହଇରାଣ କରୁଛି। ଡିସେମ୍ବର ୮ ରାତି ୮:୪୫ରେ ତାଙ୍କୁ ପୁଣି ଗିରଫ କରାଯାଇଛି । ସେ ଅହମ୍ମଦାବାଦର ସାଇବର ପୋଲିସ ଥାନାରୁ ବିମାନ ବନ୍ଦର ଯାଉଥିଲେ। ପୋଲିସ ଟିମ୍ ତାଙ୍କୁ କୌଣସି ନୋଟିସ କିମ୍ବା ୱାରେଣ୍ଟ ବିନା ଗିରଫ କରି ଏକ ଅଜ୍ଞାତ ସ୍ଥାନକୁ ନେଇଯାଉଛି। ଏହା ନିନ୍ଦନୀୟ ବୋଲି ଓ’ବ୍ରାଇନ୍ କହିଛନ୍ତି |

ମୋର୍ବି ପୋଲ ଭୁଶୁଡ଼ିବା ଘଟଣା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିଭ୍ରାନ୍ତିକର ଖବର ସୋସିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଗୁଜରାଟ ପୋଲିସ ତାଙ୍କୁ ନିକଟରେ ଗିରଫ କରିଥିଲା ।

ଅକ୍ଟୋବର ୩୧ରେ ଗୁଜରାଟର ମୋର୍ବିରେ ଏକ ଝୁଲାପୋଲ ଭାଙ୍ଗି ଯିବାରୁ ପ୍ରାୟ ୧୪୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Comments are closed.