ଆନ୍ଦୋଳନରତ ଚାଷୀଙ୍କ କଠୋର ଆଭିମୁଖ୍ୟ, ଆଜି ଦାହ କରିବେ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା , ୮ରେ ଭାରତ ବନ୍ଦ ଡାକରା

ନୂୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଚାଷୀମାନେ ଏକ ବଡ଼ ଘୋଷଣା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି କୃଷକ ସଂଗଠନ କହିଛନ୍ତି । ତା’ଛଡା ସେମାନେ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି।

ସିନ୍ଧୁ ସୀମାରେ ଡେରା ପକାଇଥିବା ଅଖିଳ ଭାରତୀୟ କିସାନ ସଭାର ସାଧାରଣ ସମ୍ପାଦକ ହାନାନ ମଲ୍ଲିକ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କୌଣସି ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ। ଏହାକୁ କେବଳ ପଞ୍ଜାବର ଆନ୍ଦୋଳନ ବୋଲି କହିବା ସରକାରଙ୍କ ଷଡଯନ୍ତ୍ର, କିନ୍ତୁ ଆଜି କୃଷକମାନେ ଦେଖାଇ ଦେଇଛନ୍ତି ଯେ ଏହି ଆନ୍ଦୋଳନ ସାରା ଭାରତରେ ହେଉଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ। ଆମେ ନିଷ୍ପତ୍ତି ନେଇଛୁ ଆସନ୍ତାକାଲି ସରକାର କୃଷି ଆଇନରେ ସଂଶୋଧନ ପ୍ରସ୍ତାବ ଦେଲେ ଆମେ ତାକୁ ଗ୍ରହଣ କରିବୁ ନାହିଁ।

କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ନବମ ଦିନରେ ପହଂଚିଛି । ଏବଂ ଏହି ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଦୁଇଥର ଆଲୋଚନା ହୋଇଛି। କିନ୍ତୁ ଆଲୋଚନା ଏପର୍ଯ୍ୟନ୍ତ ନିଷ୍ଫଳ ରହିଛି ।
କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଅଟଳ ଅଛନ୍ତି । ସେମାନେ ଏମଏସପି ନେଇ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଚାହୁଁଛନ୍ତି। ସରକାର କୃଷି ଆଇନ ପ୍ରତ୍ୟାହାର ଦାବିକୁ ଗ୍ରହଣ କରିବା ସମ୍ଭାବନା କମ୍ ଥିଲେ ମଧ୍ୟ ଚାଷୀଙ୍କ ଅନ୍ୟ କିଛି ଦାବି ମାନିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

Comments are closed.