ବିଭ୍ରାନ୍ତିକର, ମିଛ ଟ୍ବିଟକୁ ଚିହ୍ନଟ କରିବା ପାଇଁ ଟ୍ବିଟର ଆଣିଲା ନୂଆ ଓ୍ବାର୍ଣ୍ଣିଂ ଲେବଲ୍

ଓ୍ୱାଶିଂଟନ: ଅଧିକାଂଶ ସମୟରେ ବିଭ୍ରାନ୍ତିକର ଟ୍ବିଟ୍ ପାଇଁ ଟ୍ୱିଟର ୟୁଜରମାନେ ଦ୍ବନ୍ଦ୍ବରେ ପଡ଼ିଥାନ୍ତି । ଏବେ ଏଭଳି ଟ୍ବିଟକୁ ସହଜରେ ଚିହ୍ନଟ କରିହେବ । କାରଣ ମିଛ, ବିଭ୍ରାନ୍ତିକର ଟ୍ୱିଟ୍ ପାଇଁ ଟ୍ୱିଟର ୟୁଜରଙ୍କୁ ଏବେ ଏକ ଚେତାବନୀ ଲେବଲ୍ ଦେଖାଯିବ | ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅଧିକ ପ୍ରଭାବଶାଳୀ ଏବଂ କମ୍ ବିଭ୍ରାନ୍ତିକର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି | କମ୍ପାନୀ ଜୁଲାଇରୁ ଏହି ଚେତାବନୀ ‘ଲେବଲ୍’ ଉପରେ କାମ କରୁଥିଲା | ୨୦୨୦ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏବଂ ପରେ ନିର୍ବାଚନ ସମ୍ବନ୍ଧୀୟ ଭୁଲ ସୂଚନା ଦୃଷ୍ଟିରୁ ଟ୍ବିଟର ଏଭଳି ‘ଲେବଲ୍’ ସେତେବେଳେ ପରୀକ୍ଷା ମୂଳକ ଭାବେ ଲାଗୁ କରିଥିଲା । ହେଲେ ଲୋକଙ୍କୁ ମିଛ ସୂଚନା ପ୍ରସାରଣରୁ ନିବୃତ୍ତ କରିବା ପାଇଁ ସେହି ‘ଲେବଲଗୁଡିକ’ ଯଥେଷ୍ଟ ନୁହେଁ ବୋଲି ସମାଲୋଚିତ ହୋଇଥିଲା | ଏହାପରେ କମ୍ପାନୀ ଉକ୍ତ ‘ଲେବଲ୍’ ଗୁଡିକ ଅପଡେଟ୍ କରିଛି ।

ଭୁଲ ସୂଚନାର ସହଜରେ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖି ଏହି ନୂଆ ଚେତାବନୀ ‘ଲେବଲ୍’ ମଙ୍ଗଳବାର ଦିନ ସାରା ବିଶ୍ୱରେ ଜାରି କରାଯାଇଛି ​​| ବିଶେଷଜ୍ଞମାନେ କହିଛନ୍ତି ଯେ ଏହିପରି ‘ଲେବଲ୍’ ୟୁଜର ମାନଙ୍କ ପାଇଁ ସହାୟକ ହୋଇପାରେ ଏବଂ ଏହା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଇଁ ‘କଣ୍ଟେଣ୍ଟ୍ ମୋଡରେସନ’ର କଷ୍ଟସାଧ୍ୟ କାର୍ଯ୍ୟକୁ ସହଜ କରିବ । ଯେମିତିକି ଫେକ୍ ପୋଷ୍ଟ ଏବଂ ତଦ୍ ସମ୍ବନ୍ଧୀୟ ଫଟୋ ଏବଂ ଭିଡିଓ ହଟାଯିବ କି ନାହିଁ ତା’ର ନିଷ୍ପତ୍ତି ନେବାକୁ ସହାୟକ ହେବ ।

ଟ୍ୱିଟର କେବଳ ତିନି ପ୍ରକାରର ଭୁଲ ତଥ୍ୟକୁ ‘ଲେବଲ୍’‌ଦ୍ବାରା ଚିହ୍ନଟ କରିବ । କମ୍ପାନୀର କହିବାନୁସାରେ, ବିଭ୍ରାନ୍ତିକର ଟ୍ୱିଟ୍ ଗୁଡିକ ଏକ ‘ଅରେଞ୍ଜ ଲେବଲ୍’ ସହିତ ଚିହ୍ନିତ ହେବ ଏବଂ ଟିକାକରଣରୁ ‘ଅଟିଜିମ୍’ ହେଉଥିବା ନେଇ ଦାବି କରୁଥିବା ଟୁଇଟ୍ ଗୁଡିକ ‘ରେଡ୍ ଲେବଲ୍’ ଦ୍ବାରା ଚିହ୍ନିତ ହେବ। ଏକ ‘ରେଡ୍ ଲେବଲ୍’ ଟ୍ୱିଟକୁ ଉତ୍ତର ଦେବା, କିମ୍ବା ‘ଲାଇକ୍ ଏବଂ ରିଟ୍ୱିଟ’ କରିବା ସମ୍ଭବ ନୁହେଁ |

Comments are closed.