ଗୁଗଲ ମ୍ୟାପ୍ ହେଲା କାଳ, ଦୁଇ ଡ଼ାକ୍ତରଙ୍କ ଅକାଳ ମୃତ୍ୟୁ

କୋଚି: ରାସ୍ତା ବା ଠିକଣା ଜଣା ନ ପଡ଼ିଲେ ଆମେ ସାଧାରଣତଃ ଗୁଗଲ ମ୍ୟାପ୍ ବା ଜିପିଏସ୍ ର ସହାୟତା ନେଇଥାଉ | ଅନେକ ସମୟରେ ଗୁଗଲ ମ୍ୟାପ୍ ଆମକୁ ସଠିକ୍ ବାଟରେ ନେଇଥାଏ । ହେଲେ ଜିପିଏସ୍ ଯଦି ଆପଣଙ୍କୁ ମୃତ୍ୟୁ ଆଡ଼କୁ ଟାଣିନିଏ ? ଏଭଳି ଭାବିବା ବେଳେ ଆପଣଙ୍କ ରୋମ ନିଶ୍ଚୟ ଟାଙ୍କୁରି ଉଠିବ । ତେବେ ଏଭଳି ଏକ ଘଟଣା କେରଳରେ ଘଟିଛି । ଗୁଗଲ ମ୍ୟାପ୍ ଦେଖାଇଥିବା ରାସ୍ତାରେ ଯାଇ ଦୁଇ ଜଣ ଡାକ୍ତରଙ୍କ ଅକାଳ ମୃତ୍ୟୁ ହୋଇଛି । ଏହି ଦୁର୍ଭାଗ୍ୟଜନକ ଘଟଣା ପରେ ଗୁଗଲ ମ୍ୟାପର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି।

କେରଳର ଏର୍ନାକୁଲାମ ଜିଲ୍ଲାରେ ଗୁଗଲ ମ୍ୟାପ ଉପରେ ବିଶ୍ବାସ କରି ଏକ କାର୍ ନଦୀ ଭିତରେ ପଶିଯିବାରୁ ଦୁଇ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅଦ୍ଵୈତ (୨୯) ଓ ଅଜମଲ୍ (୨୯) । ଉଭୟ ଥ୍ରୀଶୁର ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ । ଏହି ଘଟଣା ରବିବାର ରାତିରେ କେରଳର ଏର୍ନାକୁଲମ ଜିଲ୍ଲାର ଗୋଥିରଥ ଅଞ୍ଚଳରେ ଘଟିଛି । ଏହି ଦୁର୍ଘଟଣାରେ ଆଉ ତିନି ଜଣ ଆହତ ହୋଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଏବଂ ଅନ୍ଧାର ଯୋଗୁଁ ରାସ୍ତା ଜଣା ନ ପଡ଼ିବାରୁ ହୋଣ୍ଡା ସିଭିକ୍ କାର୍ ଚଳାଉଥିବା ଡାକ୍ତର ଅଦ୍ଵୈତ ଗୁଗଲ ମ୍ୟାପର ସହାୟତା ନେଇଥିଲେ । ତେବେ ଗୁଗଲ ମ୍ୟାପ୍ ଦେଖାଇଥିବା ରାସ୍ତାରେ ଯାଇ କାର୍ ହଠାତ୍ ପାଣି ଭିତରକୁ ପଶିଯାଇଥିଲା । ଜିପିଏସ୍ ଯେଉଁ ରାସ୍ତା ଦେଖାଇଥିଲା ତାହା ପ୍ରକୃତରେ ଏକ ନଦୀ ଥିଲା । ହେଲେ ବର୍ଷା ସହ ଜଳମଗ୍ନ ରାସ୍ତା ଓ ରାତି ସମୟ ଯୋଗୁଁ ଡ୍ରାଇଭିଂ କରୁଥିବା ଡ଼ାକ୍ତର ଅଦ୍ଵୈତ ଏହା ଜାଣିପାରିନଥିଲେ ।

ଏହି ଦୁର୍ଘଟଣାରେ ଡାକ୍ତର ଅଦ୍ଵୈତଙ୍କ ତାଙ୍କ ସହକର୍ମୀ ଡକ୍ଟର ଅଜମଲ ଆସିଫ (୨୯) ଙ୍କ ମୃତ୍ୟୁ ହୋଇଥିଲା। କାରରେ ଥିବା ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଘଟଣା ପରେ ବର୍ଷାଦିନରେ ଗୁଗଲ ମ୍ୟାପ୍ ବ୍ୟବହାର ନ କରିବାକୁ ଲୋକଙ୍କୁ ସତର୍କ କରିଛି କେରଳ ପୋଲିସ । ସାଧାରଣତଃ ବର୍ଷାଦିନେ କିଛି ରାସ୍ତାକୁ ଡାଇଭର୍ଟ କରାଯାଇଥାଏ । କିନ୍ତୁ ଏହା ଗୁଗଲ ମ୍ୟାପ୍ ଦେଖାଇନଥାଏ।

Comments are closed.