ମହାରାଷ୍ଟ୍ର ସଙ୍କଟ: ସରକାରୀ ବାସଭବନ ଛାଡ଼ିଲେ ଉଦ୍ଧବ

ମୁମ୍ବାଇ: ନିଜ ଦଳରେ ବିଦ୍ରୋହର ସମ୍ମୁଖୀନ ହୋଇଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ସରକାରୀ ବାସଭବନ ‘ବର୍ଷା’ ଛାଡ଼ିଛନ୍ତି । ଉଦ୍ଧବ ନିଜ ପରିବାର ସହ ପୈତୃକ ଘର ‘ମାତୋଶ୍ରୀ’କୁ ଚାଲିଯାଇଛନ୍ତି। ତେବେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଉଦ୍ଧବ ସରକାରୀ ବାସଭବନ ଛାଡ଼ିଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି ।

ଉଦ୍ଧବ ସରକାରୀ ବଙ୍ଗଳା ଛାଡ଼ିବା ବେଳେ ସେଠାରେ ହଜାର ହଜାର ଶିବସେନା କର୍ମୀ ଏକତ୍ରିତ ହୋଇ ତାଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। ତାଙ୍କ କାରରେ ଫୁଲ ବର୍ଷା ହେଉଥିଲା | ଏହାପୂର୍ବରୁ ଫେସବୁକ୍ ଲାଇଭ୍ କରି ଉଦ୍ଧବ ଠାକରେ କହିଥିଲେ ଯେ ଯଦି ଜଣେ ଶିବ ସୈନିକ କୁହନ୍ତି, ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି। ଜଣେ ଶିବ ସୈନିକ ମୁଖ୍ୟମନ୍ତ୍ରୀ ହେଲେ ସେ ଖୁସି ହେବେ । ଉଦ୍ଧବ ଠାକରେ କହିଥିଲେ ଯେ ତାଙ୍କର କ୍ଷମତା ପ୍ରତି କୌଣସି ଲୋଭ ନାହିଁ ଏବଂ ସେ ଚୌକିକୁ ଜାବୁଡ଼ି ଧରି ବସିବା ଲୋକ ନୁହଁନ୍ତି । ଉଦ୍ଧବ ଠାକରେ ପ୍ରାୟ ଅଢେ଼ଇ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଫେସବୁକ୍ ଲାଇଭ୍ ସମୟରେ ଉଦ୍ଧବ କହିଥିଲେ ଯେ ଯଦି ଆପଣମାନେ (ବିଦ୍ରୋହୀ ବିଧାୟକ) ମୁଁ ମୁଖ୍ୟମନ୍ତ୍ରୀ ପଦରେ ରହିବା ଚାହୁଁ ନାହାଁନ୍ତି ତେବେ ମୁଁ ତୁରନ୍ତ ଏହି ପଦ ଛାଡ଼ି ମୋ ଘର ମାଟ
ମାତୋଶ୍ରୀକୁ ଚାଲିଯିବି । ସେ ତାଙ୍କ ସମ୍ବୋଧନରେ କହିଥିଲେ ଯେ ମୁଁ କେବଳ କହିବାକୁ ଚାହେଁ, ମୁଁ ନିଜ ବ୍ୟତୀତ ଏହି ପଦରେ ଜଣେ ଶିବ ସୈନିକଙ୍କୁ ଦେଖିବାକୁ ଚାହୁଁଛି। ବଡ଼ କଥା ହେଉଛି ଉଦ୍ଧବ ଠାକରେଙ୍କୁ ଭେଟିବା ସମୟରେ ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ କଂଗ୍ରେସ ନେତାମାନେ କହିଥିଲେ ଯେ ଯଦି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ସେମାନଙ୍କର କୌଣସି ଆପତ୍ତି ନାହିଁ।

Comments are closed.