ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ, ବ୍ରିଟେନ କୋର୍ଟ ଦେଲେ ଅନୁମତି

ନୂଆଦିଲ୍ଲୀ – ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ। ବ୍ରିଟେନର ଏକ କୋର୍ଟ ଏନେଇ ଆଜି ଅନୁମତି ଦେଇଛନ୍ତି। ଏବେ କୋର୍ଟଙ୍କ ନିଷ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ଅନୁମୋଦନ ପାଇଁ ପଠାଯିବ। ଗୃହମନ୍ତ୍ରୀଙ୍କ ଅନୁମୋଦନ ପରେ ନୀରବଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) କୁ ପ୍ରାୟ ଦୁଇ ବିଲିୟନ ଡଲାର ୠଣ ଠକେଇ ନେଇ ନୀରବ ମୋଦୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏହି ମାମଲା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେବା ପରେ ଜାନୁଆରୀ ୨୦୧୮ରେ ନୀରବ ମୋଦୀ ଭାରତ ଛାଡ଼ି ପଳାଇଥିଲେ। ଏହା ପରେ ଭାରତ ସରକାର ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ନୀରବ ମୋଦୀ ବର୍ତ୍ତମାନ ଲଣ୍ଡନ ଜେଲରେ ଅଛନ୍ତି।

ଆଜି କୋର୍ଟ କହିଛନ୍ତି ଯେ ନୀରବ ମୋଦୀ ମାମଲା ପ୍ରତ୍ୟର୍ପଣ ଆଇନର ଧାରା ୧୩୭ର ଆବଶ୍ୟକତା ପୂରଣ କରୁଛି। ଭାରତରେ ସରକାରୀ ଚାପ, ମିଡିଆ ଟ୍ରାଏଲ୍ ଏବଂ ଦୁର୍ବଳ କୋର୍ଟ ସ୍ଥିତିକୁ ନେଇ ନିରବ ମୋଦୀ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନକୁ ୱେଷ୍ଟମିନିଷ୍ଟର କୋର୍ଟ ଖାରଜ କରିଛନ୍ତି ।

ଲଣ୍ଡନ କୋର୍ଟ ନୀରବ ଙ୍କ ଏହି ଯୁକ୍ତି ମଧ୍ୟ ଅସ୍ୱୀକାର କରିଛନ୍ତି ଯେ ପ୍ରତ୍ୟର୍ପଣ ପାଇଁ ତାଙ୍କ ମାନସିକ ଓ ଶାରିରୀକ ସ୍ତରରେ ଫିଟ୍ ନୁହଁନ୍ତି।

ମୁମ୍ବାଇର ଆର୍ଥର ରୋଡ୍ର ବାରାକ୍ ୧୨ ରେ ନୀରବ ମୋଦୀଙ୍କୁ ରଖିବା ପାଇଁ ଦିଆଯାଇଥିବା ଭାରତର ପ୍ରତିଶ୍ରୁତି ମଧ୍ୟ ସନ୍ତୋଷଜନକ ବୋଲି କୋର୍ଟ କହିଛନ୍ତି।

ନୀରବଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲର ବାରାକ୍ ୧୨ରେ ରଖିବା ଉଚିତ ବୋଲି କୋର୍ଟ କହିଛନ୍ତି। ତାଙ୍କୁ ଖାଦ୍ୟ, ବିଶୁଦ୍ଧ ଜଳ, ପରିଷ୍କାର ପରିଚ୍ଛନ୍ନ ଟଏଲଟ୍, ଶଯ୍ୟା ସୁବିଧା ଦିଆଯିବା ଉଚିତ୍ । ମୁମ୍ବାଇ ସେଣ୍ଟ୍ରାଲ ଜେଲର ଡାକ୍ତରମାନେ ମଧ୍ୟ ନୀରବଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍ ବୋଲି କୋର୍ଟ କହିଛନ୍ତି।

ଭାରତରେ ଜୀବନ ପ୍ରତି ବିପଦ ଥିବାରୁ ଧାରା ୩ ଅନୁଯାୟୀ ନୀରବଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ ଆମେ ନିରବ ମୋଦୀଙ୍କ ଆତ୍ମହତ୍ୟା ପ୍ରବୃତ୍ତି ବିଷୟରେ ଦିଆଯାଇଥିବା ରିପୋର୍ଟକୁ ଦେଖିଛୁ।
ପ୍ରତ୍ୟର୍ପଣ ୱାରେଣ୍ଟରେ ୧୯ ମାର୍ଚ୍ଚ ୨୦୧୯ରେ ନିରବ ମୋଦୀଙ୍କୁ ଗିରଫ କରାଯାଇଥିଲା ଏବଂ ପ୍ରତ୍ୟର୍ପଣ ମାମଲା ଉପରେ ଅନେକ ଥର ଶୁଣାଣି ବେଳେ ସେ ୱାଣ୍ଡସୱର୍ଥ ଜେଲରୁ ଭିଡିଓ ଲିଙ୍କ ଜରିଆରେ ହାଜର ହେଉଥିଲେ।

Comments are closed.