ଉଦ୍ଧବ ଠାକରେଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ | News Room Odisha

ଉଦ୍ଧବ ଠାକରେଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ଏତଲା ରଦ୍ଦ କରିବା ନେଇ ଜରୁରୀ ଶୁଣାଣି ପାଇଁ ବମ୍ବେ ହାଇକୋର୍ଟ ରାଣେଙ୍କ ଆବେଦନ ଖାରଜ କରିଦେବା ପରେ ରାଣେଙ୍କୁ ଗିରଫ କରାଯାଇଛି । ପ୍ରଥମେ ପୋଲିସ ତାଙ୍କୁ ଅଟକ ରଖିଥିଲା । ଏବେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ବୟାନ ନେଇ ରାଣେଙ୍କ ବିରୋଧରେ ଶିବସେନା ପକ୍ଷରୁ ଏକାଧିକ ଏଫ୍ଆଇଆର୍ ରୁଜୁ କରାଯାଇଥିଲା । ଏହି ପ୍ରସଙ୍ଗରେ ଆଜି ମୁମ୍ବାଇ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶିବସେନା ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ହାତାହାତି ହୋଇଥିଲା ।
ସୋମବାର ରାୟଗଡ ଜିଲ୍ଲାର ବିଜେପିର ଜନ ଆଶୀର୍ବାଦ ଯାତ୍ରା ବେଳେ ଏକ ସଭାକୁ ସମ୍ବୋଧିତ କରିବାବେଳେ ରାଣେଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ନିକଟରେ ନରେନ୍ଦ୍ର ମୋଦି କ୍ୟାବିନେଟରେ ସାମିଲ ହୋଇଥିବା ଏହି ବିଜେପି ନେତା ତଥା ପୂର୍ବତନ ଶିବସେନା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଠାକରେ ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସମୟରେ ସ୍ବାଧୀନତାର ବର୍ଷ ଭୁଲି ଯାଇଥିଲେ ଏବଂ ଯଦି ସେ ସେଠାରେ ଉପସ୍ଥିତ ଥାନ୍ତେ ତେବେ ସେ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥାଆନ୍ତେ ।