ଲକ୍ଷ୍ମୀପୁର ଯିବାକୁ ରାହୁଲ, ପ୍ରିୟଙ୍କାଙ୍କୁ ଅନୁମତି ଦେଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ: ଚାରିଆଡ଼ୁ ସମାଲୋଚନା ପରେ ୟୁପି ସରକାର ଶେଷରେ ବିଭିନ୍ନ ଦଳର ନେତାମାନଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଲକ୍ଷ୍ମୀପୁର ଗସ୍ତ ପାଇଁ ଅନୁମତି ଦିଆଯାଇଛି। କିଛି ସମୟ ତଳେ ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ଅଭିମୁଖେ ବାହାରିଛନ୍ତି। ପଞ୍ଜାବ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ରାହୁଲଙ୍କ ସହ ଯାଇଛନ୍ତି। ଏହି ତିନି କଂଗ୍ରେସ ନେତା ଲକ୍ଷ୍ମୀପୁରର ମୃତ କୃଷକଙ୍କ ପରିବାରକୁ ଭେଟିବେ।

ଉତ୍ତରପ୍ରଦେଶ ସରକାରଙ୍କ ଗୃହ ବିଭାଗ କହିଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଏବଂ ଅନ୍ୟ ତିନି ଜଣଙ୍କୁ ଲକ୍ଷ୍ମୀପୁର ଖେରୀ ଯିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।

ଅନ୍ୟପକ୍ଷରେ ଲକ୍ଷ୍ମୀପୁର ଘଟଣାକୁ ନେଇ ବିରୋଧୀ ଦଳର ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଅଜୟ ମିଶ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭେଟିଛନ୍ତି। ଲକ୍ଷ୍ମୀପୁର ଘଟଣା ପରେ ସେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି।

ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାକୁ ତିନି ଦିନ ବିତିଥିଲେ ମଧ୍ୟ ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠିଛି। ଲକ୍ଷ୍ମୀପୁର ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଏବଂ ତାଙ୍କ ପୁଅ ଆଶିଷ ମିଶ୍ର ବିରୋଧୀଙ୍କ ଟାର୍ଗଟରେ ଅଛନ୍ତି, ଯଦିଓ ଉଭୟ ଘଟଣା ସମୟରେ ସେଠାରେ ଉପସ୍ଥିତ ନଥିବା କହିଛନ୍ତି ।

Comments are closed.