ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟର ରିପୋର୍ଟରେ ବଡ଼ ଖୁଲାସା, ଅରୁଣାଚଳ ପ୍ରଦେଶରେ ଗ୍ରାମ ସ୍ଥାପନ କରୁଛି ଚୀନ୍

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଉତ୍ତେଜନା ମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି। ଭାରତ ସୀମା ସଂଲଗ୍ନ ବିବାଦୀୟ ଅଞ୍ଚଳରେ ଚୀନ୍ ଏହାର ଗ୍ରାମ ସ୍ଥାପନ କରୁଛି। ପେଣ୍ଟାଗନ୍ ରିପୋର୍ଟରେ‌ ଅରୁଣାଚଳ ପ୍ରଦେଶ ନିକଟରେ ଥିବା ବିବାଦୀୟ ଅଞ୍ଚଳରେ ୧୦୦ ଘର ବିଶିଷ୍ଟ ଏକ ଗାଁକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି।

ଆମେରିକା କଂଗ୍ରେସ (ସଂସଦ) କୁ ଦାଖଲ କରିଥିବା ରିପୋର୍ଟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ୍) ​​ଭାରତ ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ଉପରେ ଚୀନ୍‌ର ବଢୁଥିବା ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରିଛି। ‘ମିଲିଟାରୀ ଆଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟସ୍ ଇନଭଲ୍ଭିଂ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା -୨୦୨୧’ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍‌ର ଏହି ଭିତ୍ତିଭୂମି ଯୋଗୁଁ ଭାରତ ସରକାରଙ୍କ ଚିନ୍ତା ବଢିଯାଇଛି । କିନ୍ତୁ ଚୀନ୍ ଓଲଟି ଏଲ୍ଏସି ଉପରେ ଭାରତର ନିର୍ମାଣ କାର୍ଯ୍ୟକୁ ଦାୟୀ କରିଛି ।

ବର୍ତ୍ତମାନ ପେଣ୍ଟାଗନ୍ ରିପୋର୍ଟ ଉପରେ ଭାରତ ସରକାର କିମ୍ବା ଭାରତୀୟ ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ। ପେଣ୍ଟାଗନ୍‌ର ଏହି ୧୯୨ ପୃଷ୍ଠାର ରିପୋର୍ଟରେ ଚୀନ୍‌ର ବଢୁଥିବା ସାମରିକ ଶକ୍ତି ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ଏଥିରେ ଚୀନ୍‌ର ଆଣବିକ ଅସ୍ତ୍ରଠାରୁ ଆରମ୍ଭ କରି ପିଏଲ୍ଏ (ନୌସେନା) ର ଯୁଦ୍ଧ ଜାହାଜ ଏବଂ ତାଇୱାନ ଉପରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଚୀନ୍‌ର ଅଙ୍କୁଶ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି ।

Comments are closed.