ପନ୍ନୁ ମାମଲାରେ ନିଖିଲ ଗୁପ୍ତାଙ୍କ ବିରୋଧରେ ପ୍ରମାଣ ଦେବାକୁ ମନାକଲା ଆମେରିକା

ନ୍ୟୁୟର୍କ: ଆମେରିକାରେ ଖଲିସ୍ତାନୀ ନେତା ଗୁରୁପତଓ୍ବନ୍ତ ପନ୍ନୁକୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ କୋର୍ଟରେ ପ୍ରମାଣ ଦାଖଲ କରିବାକୁ ଆମେରିକା ସରକାର ଆପତ୍ତି ପ୍ରକାଶ କରିଛନ୍ତି । ଆମେରିକା ସରକାର କହିଛନ୍ତି ଯେ ନ୍ୟୁୟର୍କ କୋର୍ଟରେ ହାଜର ନହେବା ପର୍ଯ୍ୟନ୍ତ ଏହି ମାମଲାରେ ନିଖିଲ ଗୁପ୍ତାଙ୍କ ଓକିଲଙ୍କୁ ତଥ୍ୟ ପ୍ରମାଣ ଦିଆଯିବ ନାହିଁ।

ଖଲିସ୍ତାନ ନେତା ପନ୍ନୁକୁ ବିଫଳ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ନିଖିଲ ଗୁପ୍ତା ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ସେ ବର୍ତ୍ତମାନ ଚେକ୍ ରିପବ୍ଲିକରେ ଏକ ଜେଲରେ ଅଛନ୍ତି।

୫୨ ବର୍ଷୀୟ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ ଆମେରିକା ସରକାର ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ ବୋଲି ତାଙ୍କ ଓକିଲ ନ୍ୟୁୟର୍କ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଆମେରିକା ସରକାର ଏପରି କରିବାକୁ ମନା କରି ଦେଇଛନ୍ତି।

ଗତ ବର୍ଷ ନଭେମ୍ବରରେ ଆମେରିକା ଦାବି କରିଥିଲା ଯେ ନ୍ୟୁୟର୍କରେ ବିଚ୍ଛିନ୍ନତାବାଦୀ ନେତା ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତା ଜଣେ ବ୍ୟକ୍ତିଙ୍କ ସହ ଏକ ଲକ୍ଷ ଟଙ୍କା (ପ୍ରାୟ ୮୩ ଲକ୍ଷ ଟଙ୍କା) ଡଲାର ସୁପାରି ଦେଇଥିଲେ। ନିଖିଲ ଗୁପ୍ତା ଭାରତ ସରକାରଙ୍କ ଜଣେ ଅଧିକାରୀଙ୍କ ଠାରୁ ଏପରି ନିର୍ଦ୍ଦେଶ ପାଇଥିଲେ ବୋଲି ଆମେରିକା କୋର୍ଟରେ ଦାଖଲ ଦଲିଲରେ ଦାବି କରାଯାଇଥିଲା ।

ନିଖିଲ ଗୁପ୍ତା ଗତ ବର୍ଷ ଜୁନ୍ ୩୦ରୁ ଚେକ୍ ରିପବ୍ଲିକରେ ଜେଲରେ ଅଛନ୍ତି। ତାଙ୍କ ପ୍ରତ୍ୟର୍ପଣ ପାଇଁ ଆମେରିକା ସରକାର ଉଦ୍ୟମ କରୁଛନ୍ତି।

ଗୁପ୍ତାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ଭାରତ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛି । ଆମେରିକା ଦେଇଥିବା ପ୍ରମାଣ ଆଧାରରେ କମିଟି ତଦନ୍ତ ଜାରି ରଖିଛି।

Comments are closed.