ବୁଚା ଗଣହତ୍ୟା ପରେ ଜାତିସଂଘର ମାନବିକ ଅଧିକାର ପରିଷଦରୁ ରୁଷକୁ ହଟାଇବାକୁ ଆମେରିକାର ଆହ୍ବାନ

ଓ୍ୱାଶିଂଟନ: ୟୁକ୍ରେନରେ ରୁଷର ସୈନ୍ୟବାହିନୀ ଯୁଦ୍ଧ ଅପରାଧ ଘଟାଇଥିବା ଅଭିଯୋଗ ହେବା ପରେ ଜାତିସଂଘର ମାନବିକ ଅଧିକାର ସଂସ୍ଥାରୁ ରୁଷକୁ ନିଲମ୍ବିତ କରିବାକୁ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍ ଗ୍ରୀନଫିଲ୍ଡ ଦାବି କରିଛନ୍ତି ।

ୟୁକ୍ରେନ ରାଜଧାନୀ କିଭ୍ ନିକଟ ବୁଚା ସହରରେ ସାଧାରଣ ନାଗରିକଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଖବର ପାଇବା ପରେ ଥୋମାସ ଗ୍ରୀନଫିଲ୍ଡ ରୁଷକୁ ମାନବ ଅଧିକାର ପରିଷଦରେ ଆସନରୁ ହଟାଇବାକୁ ଆହ୍ବାନ ଦେଇଛି। ସାଧାରଣ ଲୋକଙ୍କ ପ୍ରତି ହିଂସା ଖବର ସାମ୍ନାକୁ ଆସିବା ପରେ ରୁଷ ବିରୋଧରେ ବିଶ୍ବବ୍ୟାପୀ କ୍ରୋଧ ଓ‌ ଅସନ୍ତୋଷ ପ୍ରକାଶ ପାଇଛି । ରୁଷ ସେନାର ଏଭଳି ବର୍ବରୋଚିତ କାଣ୍ଡ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି ।

ଥୋମାସ ଗ୍ରୀନଫିଲ୍ଡ ଗୋଟିଏ ଦିନ ପୂର୍ବରୁ ପଡୋଶୀ ମଲଡୋଭା ପରିଦର୍ଶନ କରିବା ପରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଆମେ ବିଶ୍ୱାସ କରୁ ଯେ ରୁଷ ସୈନିକମାନେ ୟୁକ୍ରେନରେ ଯୁଦ୍ଧ ଅପରାଧ କରିଛନ୍ତି ଏବଂ ଏଥିପାଇଁ ରୁଷକୁ ଉତ୍ତରଦାୟୀ କରାଯିବା ଉଚିତ।

ୟୁକ୍ରେନ ଅଧିକାରୀ କହିଛନ୍ତି ଯେ ଗତ କିଛି ଦିନ ତଳେ କିଭ୍ ସହରରୁ ୪୧୦ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ମାନବ ଅଧିକାର ପରିଷଦରେ ରୁଷର ସଦସ୍ୟତା ଏହି ସଂସ୍ଥାର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଉଛି ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି।

Comments are closed.