ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ଚାରି ନୌସେନା ଅଧିକାରୀଙ୍କର ମୃତଦେହ ମିଳିଲା

ଡେରାଡୁନ: ଉତ୍ତରାଖଣ୍ଡର ମାଉଣ୍ଟ ତ୍ରିଶୂଳରେ ହିମସ୍ଖଳନ ଘଟଣାରେ ନିଖୋଜ ଥିବା ନୌସେନାର ଚାରି ଅଧିକାରୀଙ୍କର ମୃତଦେହ ମିଳିଛି । ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସନ୍ଧାନ କାର୍ଯ୍ୟ ପରେ ଚାରିଜଣ ଅଧିକାରୀଙ୍କ ମୃତଦେହ ବରଫ ତଳୁ ଉଦ୍ଧାର କରାଯାଇଛି। ଶୁକ୍ରବାରର ଘଟିଥିବା ହିମସ୍ଖଳନରେ ନୌସେନାର ପାଞ୍ଚ ଅଧିକାରୀ ସହ ଜଣେ ଶେର୍ପା ନିଖୋଜ ଥିଲେ।

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ଟ୍ବିଟ୍ କରି କହିଛନ୍ତି, ” ତ୍ରିଶୂଳ ପର୍ବତରେ ଭାରତୀୟ ନୌସେନାର ପର୍ବତାରୋହଣ ଅଭିଯାନର ଅଂଶବିଶେଷ ଥିବା ଚାରି ଜଣ ନୌସେନାର କର୍ମଚାରୀଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ଘଟଣାରେ ଦେଶ କେବଳ ମୂଲ୍ୟବାନ ଯୁବକଙ୍କ ଜୀବନ ନୁହେଁ ବରଂ ସାହସୀ ସୈନିକମାନଙ୍କୁ ମଧ୍ୟ ହରାଇଛି। ”

ଭାରତୀୟ ନୌସେନା ସୂଚନା ଅନୁଯାୟୀ, ଯେଉଁ ଅଧିକାରୀଙ୍କ ମୃତଦେହ ଚିହ୍ନଟ ହୋଇଛି ସେମାନଙ୍କ ମଧ୍ୟରେ ଲେଫ୍ଟନାଣ୍ଟ କମାଣ୍ଡର ରଜନୀକାନ୍ତ ଯାଦବ, ଲେଫ୍ଟନାଣ୍ଟ କମାଣ୍ଡର ଯୋଗେଶ ତିୱାରୀ, ଲେଫ୍ଟନାଣ୍ଟ କମାଣ୍ଡର ଅନନ୍ତ କୁକ୍ରେଟି ଏବଂ ମାଷ୍ଟର ଚିଫ୍ ପେଟି ଅଫିସର (ଏମସିପିଓ) ହରି ଓମ୍ ଅଛନ୍ତି।

ଶୁକ୍ରବାର ଦିନ ଉତ୍ତରାଖଣ୍ଡର କୁମାଓନ୍ ଅଞ୍ଚଳର ତ୍ରିଶୂଲ ପର୍ବତ ଉପରେ ହିମସ୍ଖଳନ ଯୋଗୁଁ ପାଞ୍ଚ ଜଣ ନୌସେନା ଅଧିକାରୀ ଏବଂ ଜଣେ ଶେର୍ପା (ଗାଇଡ୍ ଏବଂ ହେଲପର) ନିଖୋଜ ହୋଇଯାଇଥିଲେ। ସେମାନେ ନୌସେନାର ଅନ୍ୟ ପାଞ୍ଚଜଣ ଅଧିକାରୀଙ୍କ ସହ ତ୍ରିଶୁଲ ପର୍ବତକୁ ଆରୋହଣ ପାଇଁ ଯାଇଥିଲେ।ନୌସେନାର ପାଞ୍ଚଜଣ ଅଧିକାରୀ ବର୍ତ୍ତି ଯାଇଥିଲେ ମଧ୍ୟ ଅନ୍ୟ ପାଞ୍ଚ ଅଧିକାରୀ ଏବଂ ଜଣେ ଶେର୍ପା ହିମସ୍ଖଳନର ଶିକାର ହୋଇଥିଲେ। ଏହି ଘଟଣାର କିଛି ସମୟ ପରେ ଉତ୍ତରାଖଣ୍ଡର ରାଜ୍ୟ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ (ଏସଡିଆରଏଫ୍) ସହ ସେନା, ବାୟୁସେନା ସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲେ।

Comments are closed.