ଚାଲିଗଲେ ‘ମୈନେ ପ୍ୟାର୍ କିୟା’, ‘ବାଜିଗର’ର ଗୀତିକାର ଦେବ କୋହଲି

ନୂଆଦିଲ୍ଲୀ: ଆଉ ନାହାଁନ୍ତି ବର୍ଷୀୟାନ ଗୀତିକାର ଦେବ କୋହଲି । ୮୧ ବର୍ଷ ବୟସରେ ଶନିବାର କୋହଲିଙ୍କ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଦେବ କୋହଲି ଗତ ଦୁଇ ତିନି ମାସ ଧରି ଅନ୍ଧେରିର କୋକିଳାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ପ୍ରାୟ ୧୦ ଦିନ ତଳେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏହି ଭେଟେରାନ୍ ଗୀତିକାରଙ୍କ ଆଜି ଭୋର ୪ ଟାରେ ଦେହାନ୍ତ ହୋଇଛି।

ଦେବ କୋହଲି ‘ଲାଲ ପଥର୍’, ‘ମୈନେ ପ୍ୟାର୍ କିୟା’, ‘ହମ୍ ଆପକେ ହୈ କୌନ୍’, ‘ବାଜିଗର’, ‘ଜୁଡୱା ୨’, ‘ମୁସାଫିର’, ‘ଇଶ୍କ’, ‘ସୁଟ୍ଆଉଟ୍ ଆଟ୍ ଲୋଖଣ୍ଡେୱାଲା’, ‘ଟ୍ୟାକ୍ସି ନଂ ୯୧୧’ ସହ ୧୦୦ରୁ ଊର୍ଦ୍ଧ୍ବ ଫିଲ୍ମ ପାଇଁ ଶତାଧିକ ସୁପରହିଟ୍ ଗୀତ ଲେଖିଥିଲେ । ସଲମାନ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ମୈନେ ପ୍ୟାର୍ କିୟା’ ର କବୁତର ଜା ଜା.., ଆଜା ଶ୍ୟାମ ହୋନେ ଆୟି.. ଭଳି ଶ୍ରୁତିମଧୁର ତଥା ଲୋକପ୍ରିୟ ଗୀତର ରଚୟିତା ଥିଲେ କୋହଲି।

ଏହାଛଡ଼ା ଗାତା ହୁଁ ମୈ (ଲାଲ୍ ପଥର୍), ମାଏ ନା ମାଏ ମୁଣ୍ଡର୍ ପେ ତେରୀ ବୋଲ୍ ରହା ହୈ କାଗା (ହମ୍ ଆପକେ ହୈ କୌନ୍ ), ୟେ କାଲି କାଲି ଆଖେଁ (ବାଜିଗର), ଚଲତି ହୈ କ୍ୟା ନୌ ସେ ବାରା (ଜୁଡୱା ୨), ସାକି ସାକି (ମୁସାଫିର) ଭଳି ଗୀତର ବି ସ୍ରଷ୍ଟା ଥିଲେ କୋହଲି । ଦେବ କୋହଲି ତାଙ୍କ କ୍ୟାରିୟରରେ ରାମ ଲକ୍ଷ୍ମଣଙ୍କ ଠାରୁ ଆରମ୍ଭ କରି ଅନୁ ମଲିକ, ଆନନ୍ଦ-ମିଲିନ୍ଦ, ଆନନ୍ଦ ରାଜ ଆନନ୍ଦ ପର୍ଯ୍ୟନ୍ତ ଅନେକ ବଡ଼ ସଂଗୀତଜ୍ଞଙ୍କ ସହ କାମ କରିଥିଲେ।

ଏହି ବର୍ଷୀୟାନ ଗୀତିକାରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ଅପରାହ୍ନ ୨ଟାରେ ମୁମ୍ବାଇର ଲୋଖଣ୍ଡେୱାଲା ସ୍ଥିତ ବାସଭବନକୁ ଅଣାଯିବ । ଓସିୱାରା ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ ।

Comments are closed.