ସାମ୍ନାକୁ ଆସିଲା ସେନା ହେଲିକପ୍ଟର ଦୁର୍ଘଟଣାର ଭିଡ଼ିଓ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ନିକଟରେ ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ହୃଦୟ ବିଦାରକ ଘଟଣା ସମୟର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ‌। ଭିଡ଼ିଓରେ ଏକ ହେଲିକପ୍ଟର ଉଡୁଥିବା ଏବଂ ହଠାତ୍ କୁହୁଡ଼ି ଭିତରେ ଅଦୃଶ୍ୟ ହେଇଯାଉଥିବା ଦେଖିବାକୁ ମିଳୁଛି। ଏହା ସ୍ଥାନୀୟ ଲୋକଙ୍କ ଦ୍ବାରା ମୋବାଇଲରେ ରେକର୍ଡିଂ କରାଯାଇଥିବା ମନେ କରାଯାଉଛି । ଏହି ଭିଡିଓ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ଠିକ୍ କିଛି ମିନିଟ୍ ପୂର୍ବର ବୋଲି ଦାବି କରାଯାଇଛି। ତେବେ ବାୟୁସେନା ଏହାର ସତ୍ୟତା ଉପରେ କୌଣସି ମନ୍ତବ୍ୟ ଦେଇନାହିଁ।

ଭିଡିଓରେ ହେଲିକପ୍ଟରଟି ପାହାଡ ଉପରେ ଉଡୁଥିବା ଦେଖିବାକୁ ମିଳୁଛି। ଏହି ସଂକ୍ଷିପ୍ତ ଭିଡ଼ିଓରେ କିଛି ସ୍ଥାନୀୟ ଲୋକ ଆକାଶକୁ ଦେଖୁଥିବା ନଜର ଆସିଛନ୍ତି । ଏଥିରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ କ’ଣ ହେଲା ବୋଲି ପଚାରୁଛନ୍ତି । ହେଲିକପ୍ଟରଟି ଖସିପଡ଼ିଲା କି ବୋଲି ବ୍ୟକ୍ତି ଜଣକ ପଚାରୁଥିବା ବେଳେ ଆଉ ଜଣେ ଏହାର ଉତ୍ତରରେ – ‘ହଁ’ ବୋଲି କହୁଥିବା ଶୁଣିବାକୁ ମିଳୁଛି ।

ଏହି ଦୁର୍ଘଟଣାର ଏକମାତ୍ର ଜୀବିତ ବ୍ୟକ୍ତି ଆଇଏଏଫ୍ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ବର୍ତ୍ତମାନ ୱେଲିଙ୍ଗଟନ୍‌ର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ଜେନେରାଲ ରାୱତ ଲେଫ୍ଟନାଣ୍ଟ ଜେନେରାଲ ପଦବୀରେ ଥିବାବେଳେ ୨୦୧୫ରେ ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ୱେଲିଙ୍ଗଟନ୍‌ର ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ସିଡିଏସ୍ ସମ୍ବୋଧନ କରିବାକୁ ଯାଉଥିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Comments are closed.