ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ, ବିମାନ ବନ୍ଦର ଜଳାର୍ଣ୍ଣବ

ନୂଆଦିଲ୍ଲୀ: ଗତକାଲି ରାତିରୁ ପ୍ରବଳ ବର୍ଷା ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ପାଣି ଜମି ଜୀବନଯାତ୍ରା ପ୍ରଭାବିତ ହୋଇଛି । ରାଜଧାନୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୩ରେ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବିମାନବନ୍ଦରରେ ପାଣି ଜମି ରହିବା ଯୋଗୁଁ ୪ଟି ଘରୋଇ ଏବଂ ଗୋଟିଏ ଅନ୍ତର୍ଜାତୀୟ ବିମାନର ରୁଟ୍ ବଦଳିବାକୁ ପଡ଼ିଛି | ତେବେ କର୍ତ୍ତୃପକ୍ଷ କହିଛନ୍ତି ଯେ ପାଣି ନିଷ୍କାସନ କରାଯାଇଛି ଏବଂ ଏବେ ବିମାନବନ୍ଦର ପରିସରର ସ୍ଥିତି ସ୍ବାଭାବିକ ହୋଇଛି ।

ବନ୍ୟା ଭଳି ସ୍ଥିତି ଯୋଗୁଁ ଅସୁବିଧା ପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଆଜି ମଧ୍ୟ ଦିଲ୍ଲୀରେ ବର୍ଷା ସମ୍ଭାବନା ରହିଛି।

ଶନିବାର ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ମୋତିବାଗ୍ ଏବଂ ଆର.କେ ପୁରମ ସମେତ ସହରର ଅନେକ ସ୍ଥାନରେ ପାଣି ଜମା ହୋଇଥିବା ସୂଚନା ମିଳିଛି। ମୋତିବାଗ୍ ଏବଂ ଆର.କେ ପୁରାମ ବ୍ୟତୀତ ମଧୁ ବିହାର, ହରି ନଗର, ରୋହତକ ରୋଡ, ବଦରପୁର, ସୋମ ବିହାର, ଆଇପି ଷ୍ଟେସନ ନିକଟରେ ରିଙ୍ଗ୍ ରୋଡ, ବିକାଶ ମାର୍ଗ, ସଙ୍ଗମ ବିହାର, ମେହେରାଉଲି-ବଦରପୁର ରୋଡ୍, ପୁଲ ପ୍ରହ୍ଲାଦପୁର ଅଣ୍ଡରପାସ୍, ମୁନିର୍କା ରାଜପୁର ଖୁରଦ, ନାଙ୍ଗଲୋଇ ଏବଂ କିରାରି ସମେତ ଅନ୍ୟାନ୍ୟ ମାର୍ଗରେ ପାଣି ସୁଅ ଯୋଗୁଁ ସମସ୍ୟା ଦେଖାଦେଇଛି। ଲୋକମାନେ ସୋସିଆଲ ମିଡିଆରେ ରାସ୍ତାରେ ଜମିଥିବା ପାଣିର ଫଟୋ ଏବଂ ଭିଡିଓ ପୋଷ୍ଟ କରି ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.