ରାତିରେ ମହିଳା ହଷ୍ଟେଲକୁ ଯାଉଥିବା ବେଳେ ଧରାପଡ଼ିଲେ ଭାରୋତ୍ତୋଳକ ଅଚିନ୍ତ ଶିଉଲି, ଜାତୀୟ କ୍ୟାମ୍ପରୁ ବହିଷ୍କୃତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲି ଏନ୍ଆଇଏସ୍ ପଟିଆଲାସ୍ଥିତ ମହିଳା ହଷ୍ଟେଲକୁ ରାତିରେ ଯାଉଥିବା ବେଳେ ଧରାପଡ଼ି ପ୍ୟାରିସ ଅଲିମ୍ପିକ୍ସ କ୍ୟାମ୍ପରୁ ବହିଷ୍କୃତ ହୋଇଛନ୍ତି ।

ଗୁରୁବାର ରାତିରେ ଏହି ଘଟଣା ଘଟିଛି। ପୁରୁଷ ୭୩ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୨୨ ବର୍ଷୀୟ ଅଚିନ୍ତଙ୍କୁ ସୁରକ୍ଷାକର୍ମୀ ଧରିଥିଲେ । ସେ ମହିଳା ହଷ୍ଟେଲକୁ ଯିବା ବେଳର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ସୁରକ୍ଷା କର୍ମୀ।

ଭାରତୀୟ ଭାରୋତ୍ତୋଳନ ସଂଘର ଜଣେ ଅଧିକାରୀ କହିଛନ୍ତି, ଏପରି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଅଚିନ୍ତଙ୍କୁ ତୁରନ୍ତ କ୍ୟାମ୍ପ ଛାଡ଼ିବାକୁ କୁହାଯାଇଛି।

ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଏନ୍ଆଇଏସ୍ ପଟିଆଲାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୀତ କୁମାରଙ୍କୁ ତୁରନ୍ତ ଏ ସମ୍ପର୍କରେ ଅବଗତ କରାଯାଇଛି। ଭିଡିଓ ପ୍ରମାଣ ଥିବାରୁ ସାଇ ଏହି ମାମଲାରେ ତଦନ୍ତ କମିଟି ଗଠନ କରିନାହିଁ ।

ଜଣେ ଅଧିକାରୀ କହିଛନ୍ତି, ଏହି ଭିଡ଼ିଓ ଏନ୍ଆଇଏସ୍ ପଟିଆଲାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୀତ କୁମାର ଏବଂ ସାଇର ଦିଲ୍ଲୀ ମୁଖ୍ୟାଳୟକୁ ପଠାଯାଇଛି। ଭାରୋତ୍ତୋଳନ ସଂଘ ଅଚିନ୍ତଙ୍କୁ କ୍ୟାମ୍ପରୁ ହଟାଇବାକୁ କୁହାଯାଇଛି।

ଅଚିନ୍ତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଏକ ନୂଆ ରେକର୍ଡ଼ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଏନ୍ଆଇଏସ୍ ପଟିଆଲାରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଅଲଗା ହଷ୍ଟେଲ ରହିଛି | ସମ୍ପ୍ରତି ଏନ୍ଆଇଏସ୍ ପଟିଆଲାରେ ମହିଳା ବକ୍ସର, ଆଥଲେଟ୍ ଏବଂ ରେସଲର ରହୁଛନ୍ତି ।

ଭାରୋତ୍ତୋଳନ ସଂଘ ଏହା ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ୟୁଥ୍ ଅଲିମ୍ପିକ୍ ଚାମ୍ପିଅନ୍ ଭାରୋତ୍ତୋଳକ ଜେରେମି ଲାଲରିନୁଗାଙ୍କୁ ମଧ୍ୟ ବିଶୃଙ୍ଖଳା ପାଇଁ ଜାତୀୟ ଶିବିରରୁ ଅନିର୍ଦ୍ଦିଷ୍ଟ କାଳ ହଟାଇ ଦେଇଥିଲା।

ଜାତୀୟ କ୍ୟାମ୍ପରୁ ବିତାଡ଼ିତ ହେବା ପରେ ଅଚିନ୍ତ ଶିଉଲିଙ୍କ ପ୍ୟାରିସ ଅଲିମ୍ପିକ୍ସରେ ଭାଗନେବା ଆଶା ମଉଳି ଯାଇଛି । କାରଣ ସେ ଚଳିତ ମାସରେ ଥାଇଲ୍ୟାଣ୍ଡର ଫୁକେଟରେ ଆଇଡବ୍ଲୁଏଫ୍ ବିଶ୍ୱକପ୍ ଖେଳି ପାରିବେ ନାହିଁ, ଯାହା ପ୍ୟାରିସ୍ ଅଲିମ୍ପିକ୍ ଯୋଗ୍ୟତା ପାଇଁ ବାଧ୍ୟତାମୂଳକ ଥିଲା।

Comments are closed.