ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ନୂଆ ଭାରିଏଣ୍ଟକୁ ‘ଓମିକ୍ରନ୍’ ଭାବେ ନାମିତ କଲା

ଜେନେଭା: କରୋନାର ଅନ୍ୟ ଭାରିଏଣ୍ଟ ତୁଳନାରେ ଦକ୍ଷିଣ ଆଫ୍ରିକା ଓ ବୋସଓ୍ଵାନାରେ ମିଳିଥିବା ନୂଆ ଭାରିଏଣ୍ଟ (ବି.୧.୧.୫୨୯) ସବୁଠାରୁ ସଂକ୍ରାମକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏନେଇ ସମସ୍ତ ଦେଶକୁ ଚେତାବନୀ ଦେଇଛି | ଶୁକ୍ରବାର ଏହାର ସମୀକ୍ଷା ପରେ ‘ହୁ’ର ଟେକ୍ନିକାଲ ପରାମର୍ଶଦାତା ଗୋଷ୍ଠୀ ଏହାକୁ ସବୁଠାରୁ ଚିନ୍ତାଜନକ ଭାରିଏଣ୍ଟ ଭାବେ ବର୍ଗୀକରଣ କରିବାକୁ ସୁପାରିସ କରିଛି | ‘ହୁ’ ଏହି ଭାଇରସର ନାମ ଓମିକ୍ରନ୍ ରଖିଛି |

ଏହି ଭାରିଏଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିଲା ​​| ନୂଆ ଭାରିଏଣ୍ଟ କୋଭିଡ ଟିକାକୁ ପ୍ରଭାବହୀନ ମଧ୍ୟ କରିପାରେ, ସଂକ୍ରମଣ ହାର ଅତି ଦ୍ରୁତ ହୋଇପାରେ ଏବଂ ରୋଗୀମାନଙ୍କ ଠାରେ ଗୁରୁତର ଲକ୍ଷଣ ସୃଷ୍ଟି ହୋଇପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ଏହି ନୂଆ ଭାରିଏଣ୍ଟର ଅତି କମରେ ୧୦ ଟି ମ୍ୟୁଟେସନ ହୋଇଛି | ଅନ୍ୟପଟେ ଡେଲ୍ଟାରେ କେବଳ ଦୁଇଟି ମ୍ୟୁଟେସନ୍ ଦେଖିବାକୁ ମିଳିଥିଲା ​​| ମ୍ୟୁଟେଟ୍ ଅର୍ଥ ଭୂତାଣୁର ଜେନେଟିକ୍ ପରିବର୍ତ୍ତନ |

ଅନ୍ୟପକ୍ଷରେ ନୂତନ ଷ୍ଟ୍ରେନ୍ ବା ଭାରିଏଣ୍ଟ ଉତ୍ପତ୍ତିକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । କିନ୍ତୁ ଏହା ସମାନ ରୋଗୀଙ୍କଠାରୁ ହୋଇଥାଇପାରେ | ଲଣ୍ଡନ ସ୍ଥିତ ୟୁସିଏଲ ଜେନେଟିକ୍ସ ପ୍ରତିଷ୍ଠାନର ନିର୍ଦ୍ଦେଶକ ଫ୍ରାଙ୍କୋଇସ୍ ବଲୁକ୍ସ କହିଛନ୍ତି ଯେ ଏହା କମ୍ ରୋଗ ପ୍ରତିରୋଧକ କ୍ଷମତା ବିଶିଷ୍ଟ ବ୍ୟକ୍ତିଙ୍କ ପୁରୁଣା ସଂକ୍ରମଣରୁ ହୋଇପାରେ, ସମ୍ଭବତ ଜଣେ ଏଚ୍.ଆଇ.ଭି ରୋଗୀରୁ ଉତ୍ପତ୍ତି ହୋଇପାରେ ।

ଏହି ନୂଆ ଭାରିଏଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଏହି ସପ୍ତାହରେ ଚିହ୍ନଟ ହୋଇଥିଲା | ଏହା ଶୀଘ୍ର ବୋସ୍ୱାନା ସମେତ ପଡୋଶୀ ଦେଶକୁ ବ୍ୟାପିଥିଲା ଯେଉଁଠାରେ ପୂର୍ଣ୍ଣ ଡୋଜ୍ ଟିକା ନେଇଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଥିଲେ | ଦକ୍ଷିଣ ଆଫ୍ରିକାରେ ଏହି ଭାରିଏଣ୍ଟର ୧୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଛି | ବୋସ୍ୱାନାରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ହଂକଂରେ ଏହି ଭାରିଏଣ୍ଟର ଦୁଇଟି ମାମଲା ମଧ୍ୟ ଚିହ୍ନଟ ହୋଇଛି ।

Comments are closed.