ଚାପୁଡ଼ା ବିବାଦ: ଓସ୍କାର ଏକାଡେମୀରୁ ଇସ୍ତଫା ଦେଲେ ୱିଲ୍ ସ୍ମିଥ୍

ଲସ୍ ଆଞ୍ଜେଲସ୍: ହଲିଉଡର ପ୍ରସିଦ୍ଧ ଅଭିନେତା ୱିଲ୍ ସ୍ମିଥ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀ (ଓସ୍କାର) ଇସ୍ତଫା ଦେଇଛନ୍ତି। ଓସ୍କାର ପୁରସ୍କାର ଶୋ’ରେ ହୋଷ୍ଟ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ନେଇ ବିବାଦରେ ଫସିବା ପରେ ୱିଲ୍ ସ୍ମିଥ୍ ଏହି ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଅପରାହ୍ନରେ ସେ ଇସ୍ତଫା ପଠାଇବା ପରେ ପୁଣି ଥରେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

ସୋସିଆଲ ମିଡିଆରେ ତାଙ୍କର କ୍ଷମା ପ୍ରାର୍ଥନା ଭାଇରାଲ ହୋଇଛି। ଏଥିରେ ସେ କହିଛନ୍ତି ଯେ ମୁଁ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଏକାଡେମୀର ସଦସ୍ୟତାରୁ ଇସ୍ତଫା ଦେଉଛି ଏବଂ ବୋର୍ଡ ଉପଯୁକ୍ତ ମନେ କରୁଥିବା ଯାହା ବି କାର୍ଯ୍ୟାନୁଷ୍ଠାନ ନେଲେ ମୁଁ ତାହାକୁ ଗ୍ରହଣ କରିବି। ସେ ଆହୁରି ମଧ୍ୟ ଲେଖିଛନ୍ତି, ‘୯୪ ତମ ଏକାଡେମୀ ପୁରସ୍କାର ଉପସ୍ଥାପନା ସମୟରେ ମୁଁ ଯାହା କରିଥିଲି ତାହା ଆଶ୍ଚର୍ଯ୍ୟଜନକ, ଯନ୍ତ୍ରଣାଦାୟକ ଏବଂ କ୍ଷମାହୀନ ଅଟେ।’

ମୋ ଦ୍ବାରା ଆଘାତପ୍ରାପ୍ତ ଲୋକଙ୍କ ତାଲିକା ଲମ୍ବା ଏବଂ ଏଥିରେ କ୍ରିସ୍, ତାଙ୍କ ପରିବାର, ମୋର ଅନେକ ପ୍ରିୟ ବନ୍ଧୁ ଏବଂ ପ୍ରିୟ ବ୍ୟକ୍ତି ଅଛନ୍ତି | ଏହାଛଡ଼ା, ବିଶ୍ବର ବିଭିନ୍ନ ସ୍ଥାନରୁ ସେହି ଦର୍ଶକମାନେ ମଧ୍ୟ ଅଛନ୍ତି, ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଘରେ ବସି ଦେଖୁଥିଲେ |

ପୁରସ୍କାର ଶୋ’ରେ ହୋଷ୍ଟ କ୍ରିସ୍ ରକ୍ ୱିଲ୍ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଟ୍ ସ୍ମିଥଙ୍କ ଲଣ୍ଡା ମୁଣ୍ଡକୁ ନେଇ ଥଟ୍ଟା କରିଥିଲେ | ଏଥିରେ ସ୍ମିଥ୍ ରାଗି ଯାଇଥିଲେ ଏବଂ ମଞ୍ଚ ଉପରକୁ ଯାଇ ରକଙ୍କୁ ଚାପୁଡ଼ା ମାରିଥିଲେ । ଜେଡା ଆଲୋପେସିଆ ନାମକ ଏପରି ଏକ ରୋଗରେ ପୀଡିତ ଯେଉଁଥିପାଇଁ ତାଙ୍କ ମୁଣ୍ଡରେ କେଶ ଶୂନ୍ୟ ହୋଇଯାଇଛି | ଜେଡାଙ୍କ ପ୍ରତି କ୍ରିସଙ୍କ ଏହି ଉପହାସକୁ ଓ୍ବିଲ୍ ସ୍ମିଥଙ୍କୁ ଭଲ ଲାଗିନଥିଲା | ସେ ହଠାତ୍ ନିଜ ଆସନରୁ ଉଠି ପଡ଼ି ମଞ୍ଚ ଉପରକୁ ଯାଇ ରକଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ଚାପୁଡ଼ା ମାରିଥିଲେ | କ୍ରିସ୍ ନିଜେ ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଡଲବି ଥିଏଟରରେ ଉପସ୍ଥିତ ସେଲିବ୍ରିଟି ଏବଂ ଟିଭିରେ ଓସ୍କାର ପୁରସ୍କାର ଦେଖୁଥିବା ସମଗ୍ର ବିଶ୍ୱ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଥିଲେ ।

Comments are closed.