ଆଜିଠୁ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶରେ ସପ୍ତାହାନ୍ତ ଲକ୍‌ଡାଉନ୍‌

‌ମୁମ୍ବାଇ/ଭୋପାଳ – କ୍ରମାଗତ ବଢ଼ୁଥିବା କରୋନା ମାମଲା ଦୃଷ୍ଟିରୁ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ସରକାର ନୂଆ କଟକଣା ଜାରି କରିଛନ୍ତି । ଏହି ଦୁଇ ରାଜ୍ୟର କିଛି ପ୍ରମୁଖ ସହରରେ ଆଜି ଠାରୁ ସପ୍ତାହାନ୍ତ ଲକ୍‌ଡାଉନ୍ ଲାଗୁ ହେବ ।

ଆଜି ରାତି ୮ରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ଭାରତର ବାଣିଜ୍ୟିକ ନଗରୀ ମୁମ୍ବାଇରେ ଲକ୍‌ଡାଉନ୍ ଆରମ୍ଭ ହେବ । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ବନ୍ଦ ରହିବ । ରାତିରେ ଯାନବାହାନ ଚଳାଚଳ ଓ ଲୋକଙ୍କ ଯାତାୟତ ଉପରେ ବି କଟକଣା ଲାଗିବ । ସକାଳ ୭ଟାରୁ ରାତି ୮ ମଧ୍ୟରେ ପାଞ୍ଚରୁ ଅଧିକ ଲୋକଙ୍କ ସମାଗମ ଓ ଚଳପ୍ରଚଳ ବାରଣ କରାଯାଇଛି । ମୁମ୍ବାଇର ସବୁ ବେଳାଭୂମି ଏପ୍ରିଲ ୩୦ ଯାଏଁ ବନ୍ଦ ରହିବ । ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ଯୋଗାଉଥିବା ଦୋକାନ ଓ ଅନୁଷ୍ଠାନ ଛାଡ଼ି ସବୁ ଦୋକାନ, ମାର୍କେଟ୍ କମ୍ପେ୍ଳକ୍ସ, ମଲ୍‌, ସିନେମା ଥିଏଟର ବନ୍ଦ ରହିବ ।

ଅନ୍ୟପକ୍ଷେ ମଧ୍ୟ ପ୍ରଦେଶ ସରକାର ମଧ୍ୟ ରାଜ୍ୟର ମୁଖ୍ୟ ସହର ଗୁଡିକରେ ସପ୍ତାହାନ୍ତ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ରାଜଧାନୀ ଭୋପାଳ ସହ ଇନ୍ଦୋର, ଜବଲପୁର ଓ ଗ୍ୱାଲିୟର ଭଳି ରାଜ୍ୟର ପ୍ରମୁଖ ସହରରେ ଆଜି ସନ୍ଧ୍ୟା ୬ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍ ଆରମ୍ଭ ହେବ ।

Comments are closed.