ଟିଆର୍‌ପି ସ୍କାମ୍‌: ହ୍ୱାଟ୍‌ସଆପ୍ ଚାଟ୍ ଲିକ୍ ପରେ ଅଡ଼ୁଆରେ ଅର୍ଣ୍ଣବ

ନୂଆଦିଲ୍ଲୀ – ଟିଆର୍‌ପି ସ୍କାମ୍ ମାମଲାରେ ରିପବ୍ଳିକ ଟିଭିର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ କାଉନସିଲ (ବାର୍କ)ର ତତ୍କାଳୀନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ସହ ଅର୍ଣ୍ଣବଙ୍କ ହ୍ୱାଟ୍‌ସଆପ୍ ଚାଟ୍ ଲିକ୍ ହେବା ପରେ ଟିଆରପି ସ୍କାମ୍‌ରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି । ଅର୍ଣ୍ଣବ-ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍‌ସଆପ୍ ଚାଟ୍‌ର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜଣାଣୁଣା ଆଇନଜୀବୀ ପ୍ରଶାନ୍ତ ଭୂଷଣ । ପ୍ରଶାନ୍ତ ଭୂଷଣ ଟ୍ୱିଟ କରି କହିଛନ୍ତି, ସରକାରୀ ସ୍ତରରେ ଏହା ଏକ ସାଂଘାତିକ ଷଡ଼ଯନ୍ତ୍ର । ଅର୍ଣ୍ଣବ ନିଜ ମିଡିଆ ସଂସ୍ଥା ଓ ନିଜ ପଦର ଅପବ୍ୟବହାର କରିଛନ୍ତି । ଏଭଳି ଅପରାଧ ପାଇଁ ତାଙ୍କୁ ଅନ୍ୟ କେଉଁ ଦେଶରେ ବହୁବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଥାନ୍ତା ।

ଅକ୍ଟୋବରରେ ବାର୍କ ତରଫରୁ ଅଭିଯୋଗ ପରେ ଟିଆରପି ସ୍କାମ୍ ଉପରୁ ପରଦା ହଟିଥିଲା । ରିପବ୍ଲିକ ଟିଭି ସମେତ କିଛି ଚ୍ୟାନେଲ ଟିଆରପି ଜାଲିଆତିରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ହୋଇଥିଲା । ମୁମ୍ବାଇ ପୋଲିସ୍‌ର ଚାର୍ଜସିଟ୍ ଅନୁସାରେ ବାର୍କର ତତ୍କାଳୀନ ସିଇଓ ପାର୍ଥୋ ଦାସଗୁପ୍ତା ନିଜ ପଦର ଅପବ୍ୟବହାର କରି ଅର୍ଣ୍ଣବ ଓ ଅନ୍ୟ ଅଭିଯୁକ୍ତଙ୍କୁ ସହାୟତା କରିଥିଲେ । ଏପରିପକି ‘ରିପବ୍ଲିକ ଟିଭି’ ଓ ‘ରିପବ୍ଳିକ ଭାରତ’କୁ ନମ୍ବର ୱାନ ଚ୍ୟାନେଲ କରିବାକୁ ଦାସଗୁପ୍ତାଙ୍କୁ କୁଆଡେ ଅର୍ଣ୍ଣବ ପ୍ରଚୁର ଟଙ୍କା ଦେଇଥିଲେ ।

‘ବାର୍କ’ ଟିଭି ଚ୍ୟାନେଲ ମାନଙ୍କର ଦର୍ଶକ ସଂଖ୍ୟା ନିର୍ଦ୍ଧାରଣ କରିଥାଏ । ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ୍‌ରୁ ଚ୍ୟାନେଲ ମାନଙ୍କର ଦର୍ଶକ ସଂଖ୍ୟା ଆକଳନ ହୁଏ । ଟିଆରପି ଭିତ୍ତିରେ ଚ୍ୟାନେଲ ଗୁଡିକ ବିଜ୍ଞାପନଦାତାଙ୍କୁ ଆକୃଷ୍ଟ କରିଥାନ୍ତି । ଯେଉଁ ଚ୍ୟାନେଲର ଟିଆରପି ଅଧିକ, ତାକୁ ଅଧିକ ବିଜ୍ଞାପନ ମିଳିଥାଏ । ଟିଆରପି ସ୍କାମରେ ମୁମ୍ବାଇ ପୋଲିସ୍ ତରଫରୁ ଦାଖଲ ହୋଇଥିବା ଅତିରିକ୍ତ ଚାର୍ଜସିଟ୍‌ରେ ‘ବାର୍କ’ର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

Comments are closed.