ତିନି ମାସ ପରେ ସର୍ବସମ୍ମୁଖକୁ ଆସିଲେ ଜ୍ୟାକ୍ ମା

ବେଜିଂ – ତିନି ମାସ ପରେ ପ୍ରଥମ ଥର ସର୍ବସମ୍ମୁଖରେ ଦେଖା ଦେଇଛନ୍ତି ଚୀନର ବିଖ୍ୟାତ ଶିଳ୍ପପତି ତଥା ଆଲିବାବା ଗ୍ରୁପ୍‌ର ପ୍ରତିଷ୍ଠାତା ଜ୍ୟାକ୍ ମା । ଗତ ଅକ୍ଟୋବର ଠାରୁ ଜ୍ୟାକ୍ ମା’ଙ୍କ ପତ୍ତା ମିଳୁନଥିଲା । ତାଙ୍କୁ ଚୀନ୍ ସରକାର ଗୃହବନ୍ଦୀ କରି ରଖିଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜ୍ୟାକ୍ ମା ଏକ ଅନ୍‌ଲାଇନ୍ କନଫରେନ୍ସରେ ନଜର ଆସିଛନ୍ତି । ସେ ବୁଧବାର ଏକ ଅନ୍‌‌ଲାଇନ୍ କନ୍‌ଫରେନ୍ସ ଜରିଆରେ ଶିକ୍ଷକମାନଙ୍କୁ ସମ୍ବୋଧନ କରିଥିଲେ । ଏହା ଗ୍ରାମାଞ୍ଚଳ ଶିକ୍ଷା ସମ୍ପର୍କିତ ଏକ ବାର୍ଷିକ କାର୍ଯ୍ୟକ୍ରମ ଥିଲା । ଏହି ଅନ୍‌ଲାଇନ୍ କନ୍‌ଫରେନ୍ସରେ ଯୋଗଦେବା ପୂର୍ବରୁ ଜ୍ୟାକ୍ ମା’ଙ୍କୁ ପ୍ରଥମେ ସ୍ଥାନୀୟ ଏକ ବ୍ଲଗ୍‌ରେ ଦେଖିବାକୁ ମିଳିଥିଲା ।

ଉଲ୍ଲେଖଯୋଗ୍ୟ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା ସହ ମତଭେଦ ଯୋଗୁଁ ଜ୍ୟାକ୍ ମା’ ଚୀନ୍ ସରକାରଙ୍କ ଟାର୍ଗେଟ୍‌ରେ ଥିଲେ । ଚୀନ୍ ସରକାର ତାଙ୍କର କମ୍ପାନୀ ଆଣ୍ଟ୍ ଗ୍ରୁପ୍ ଏବଂ ଆଲିବାବା ଗ୍ରୁପ୍ ହୋଲ୍ଡିଂ ଲିମିଟେଡ୍‌ର ଯାଞ୍ଚ୍ ଆଦେଶ ଦେବା ପରେ ମା’ଙ୍କ ଭବିଷ୍ୟତ ନେଇ ନାନା ଚର୍ଚ୍ଚା ହୋଇଥିଲା । ସେ ଅକ୍ଟୋବର ଠାରୁ ହଠାତ୍ ସର୍ବସାଧାରଣରୁ ଅଦୃଶ୍ୟ ହୋଇଯାଇଥିଲେ ।

Comments are closed.