ଦାବି ପୂରଣ ନ ହେଲେ ରେଳରୋକ କରିବାକୁ ଚାଷୀଙ୍କ ଚେତାବନୀ

ନୂଆଦିଲ୍ଲୀ – କୃଷି ଆଇନ ନେଇ ଅଚଳାବସ୍ଥା ଜାରି ରହିଥିବା ବେଳେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ କୃଷକ ସଂଗଠନ ଚେତାବନୀ ଦେଇଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ, ତେବେ ଆଗାମୀ ଦିନରେ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ କରାଯିବ । ଦିଲ୍ଲୀକୁ ସଂଯୋଗ କରୁଥିବା ସବୁ ରାଜପଥ ମଧ୍ୟ ଅବରୋଧ କରାଯିବ ବୋଲି ଚାଷୀମାନେ କହିଛନ୍ତିି । କେନ୍ଦ୍ର ସ୍ୱୀକାର କରିଛି ଯେ, କୃଷି ଆଇନ ବେପାରୀ ମାନଙ୍କ ପାଇଁ ପ୍ରଣୟନ କରାଯାଇଛି । ଯଦି କୃଷି ଏକ ରାଜ୍ୟ ପ୍ରସଙ୍ଗ, ତେବେ ଏଥିରେ ହସ୍ତକ୍ଷେପ କରିବାର କେନ୍ଦ୍ରର କୌଣସି ଅଧିକାର ନାହିଁ । ଏହି କଳା ଆଇନକୁ ଯଦି ପ୍ରତ୍ୟାହାର ନ କରାଯାଏ, ତେବେ ଆଗାମୀ ଦିନରେ ଆମେ ରେଳରୋକ କରିବୁ ବୋଲି ସିଂଘୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ବୁଟା ସିଂ କହିଛନ୍ତି ।

ଆନ୍ଦୋଳରତ ଚାଷୀ ଓ କେନ୍ଦ୍ର ସରକାର ମଧ୍ୟରେ ଏଯାବତ ପାଞ୍ଚ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ । କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସେମାନେ ଅଟଳ ରହିଛନ୍ତି । ଗତକାଲି କେନ୍ଦ୍ର ସରକାରଙ୍କ ତରଫରୁ କୃଷି ଆଇନରେ କିଛି ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏହାକୁ ବିଭିନ୍ନ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଥିଲେ ।

ସେପଟେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଚାଷୀଙ୍କ ସ୍ୱାର୍ଥରେ ଏହି ଆଇନ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ସରକାର ଏମଏସପି ଉପରେ ଲିଖିତ ପ୍ରତଶ୍ରୁତି ଦେବାକୁ ପ୍ରସ୍ତୁତ। କୃଷକ ସଂଗଠନ ସରକାରଙ୍କ ପ୍ରସ୍ତାବକୁ ବିଚାର କରନ୍ତୁ । କୃଷକମାନେ ଶୀତ କାକରରେ ବସିଛନ୍ତି, ଏହା ଆମ ପାଇଁ ଚିନ୍ତାର ବିଷୟ | ସରକାର ସେମାନଙ୍କ ପ୍ରତ୍ୟେକ ଆପତ୍ତି ଅଭିଯୋଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଚାଷୀ ଯେବେ ଚାହିଁବେ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ ।

କୃଷି ମନ୍ତ୍ରୀ କହିଛନ୍ତି କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଆମେ ସେମାନଙ୍କ ପ୍ରସ୍ତାବକୁ ଅପେକ୍ଷା କରିଛୁ, କିନ୍ତୁ ସେମାନେ ଆଇନ ପ୍ରତ୍ୟାହାର କରିବା ଜିଦରେ ଅଟଳ ରହିଛନ୍ତି । କୃଷି ବିଲ୍ ହେଉଛି କୃଷକର ସ୍ୱାଧୀନତା। ‘ଏକ ଦେଶ-ଏକ ବଜାର’ ନୀତିରେ କୃଷକମାନେ ଏବେ ସେମାନଙ୍କର ଉତ୍ପାଦକୁ ଯେକୌଣସି ସ୍ଥାନରେ, ଯେକୌଣସି ବ୍ୟକ୍ତିଙ୍କୁ ଏବଂ ଯେକୌଣସି ମୂଲ୍ୟରେ ବିକ୍ରି କରିପାରିବେ | ବର୍ତ୍ତମାନ କୃଷକ କାହା ଉପରେ ନିର୍ଭରଶୀଳ ହେବା ପରିବର୍ତ୍ତେ ବୃହତ ଖାଦ୍ୟ ଉତ୍ପାଦନ କମ୍ପାନୀଗୁଡିକ ସହ ଅଂଶୀଦାର ଭାବେ ଯୋଗ ଦେଇ ଅଧିକ ଲାଭ ହାସଲ କରିବାକୁ ସମର୍ଥ ହେବେ ବୋଲି ନରେନ୍ଦ୍ର ତୋମାର କହିଛନ୍ତି ।

Comments are closed.