ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି ସମ୍ପର୍କିତ ବିଲ୍ ଲୋକସଭାରେ ପାରିତ, କେଜ୍ରିୱାଲ କହିଲେ ଦିଲ୍ଲୀବାସୀଙ୍କ ପ୍ରତି ବିଶ୍ୱାସ ଘାତକତା

ନୂଆଦିଲ୍ଲୀ – କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ପ୍ରଦାନ କରିବା ସମ୍ବନ୍ଧୀୟ ଏକ ବିବାଦୀୟ ବିଲ୍ ଲୋକସଭାର ମଞ୍ଜୁରି ଲାଭ କରିଛି । ଜାତୀୟ ରାଜଧାନୀ କ୍ଷେତ୍ରୀୟ ଶାସନ (ସଂଶୋଧନ) ବିଲ୍‌, ୨୦୨୧ ପାରିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ଷମତା ବହୁମାତ୍ରାରେ ସଙ୍କୁଚିତ ହୋଇଯିବ । ଉପରାଜ୍ୟପାଳଙ୍କ ହାତରେ ଏବେ ଅଧିକ ପ୍ରଶାସନିକ କ୍ଷମତା ରହିବ ବୋଲି ଚର୍ଚ୍ଚା ହେଉଛି ।

କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍‌)ର ତୀବ୍ର ବିରୋଧ ସତ୍ତ୍ୱେ ଏହି ବିବାଦୀୟ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି । ଆପ୍ ଏହି ଆଇନକୁ ଅସାମ୍ବିଧାନିକ ବୋଲି କହିଛି । ଏହି ବିଲ୍ ନେଇ ଆପ୍ ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କେଜ୍ରିୱାଲା ଟ୍ୱିଟ୍ କରି କହିଛନ୍ତି ଯେ, ଏହି ବିଲ୍ ଆଣି ବିଜେପି ଦିଲ୍ଲୀବାସୀଙ୍କ ପ୍ରତି ବିଶ୍ୱାସ ଘାତକତା କରିଛି । ନିର୍ବାଚନ ଜିତିଥିବା ଜନ ପ୍ରତିନିଧିଙ୍କ ଠାରୁ କ୍ଷମତା ଛଡ଼ାଇ ଆଣି ବିଜେପି ହାରିଥିବା ଲୋକଙ୍କୁ ଦେଇଛି ।

ଲୋକସଭାରେ ଜାତୀୟ ରାଜଧାନୀ କ୍ଷେତ୍ରୀୟ ଶାସନ (ସଂଶୋଧନ) ବିଲ୍‌,୨୦୨୧ ଉପରେ ଚର୍ଚ୍ଚା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡୀ କହିଥିଲେ, ସମ୍ବିଧାନ ଅନୁସାରେ ଦିଲ୍ଲୀ ଏକ କେନ୍ଦ୍ର ଶାସିତ ଅଞ୍ଚଳ । କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ କ୍ଷମତା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏନେଇ କୋର୍ଟରେ ଅନେକ ମାମଲା ଦାୟର ହୋଇଥିଲା । ଏହିସବୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଏହି ବିଲ୍ ଅଣାଯାଇଛି । ଏହା ଦ୍ୱାରା ଦିଲ୍ଲୀର ଜନତା ଉପକୃତ ହୋଇପାରିବେ ଓ ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଓ ପାରଦର୍ଶିତା ରହିବ । ସେ କହିଛନ୍ତି ଯେ, ଏହି ବିଲ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ । ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡୀଙ୍କ ବକ୍ତବ୍ୟ ପରେ ଏହି ବିଲ୍ ଧ୍ୱନିମତରେ ପାରିତ ହୋଇଥିଲା ।

Comments are closed.