ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ ନେଇ ଆଜି ରାୟ ଶୁଣାଇବେ ବ୍ରିଟେନ କୋର୍ଟ

ଲଣ୍ଡନ – ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୨ ବିଲିୟନ ଡଲାର ଠକେଇ ମାମଲାରେ ମୋଷ୍ଟ ୱାଣ୍ଟେଡ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଭାରତ ପଠାଇବା ନେଇ ବ୍ରିଟେନର ଏକ କୋର୍ଟ ଆଜି ରାୟ ଶୁଣାଇବେ। ନୀରବ ମୋଦୀ ବର୍ତ୍ତମାନ ଲଣ୍ଡନ ଜେଲରେ ଅଛନ୍ତି।

୪୯ ବର୍ଷିୟ ନିରବ ମୋଦୀ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ଭିଡିଓ ଲିଙ୍କ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବେ । ଏହି ହୀରା ବ୍ୟବସାୟୀଙ୍କ ପାଇଁ ଭାରତୀୟ କୋର୍ଟରେ ହାଜର ହେବା ପାଇଁ କୌଣସି ମାମଲା ଅଛି କି ନାହିଁ ସେନେଇ ଜିଲ୍ଲା ଜଜ୍ ସାମୁଏଲ୍ ଗୁଜି ତାଙ୍କ ରାୟ ପ୍ରଦାନ କରିବେ।

ଏହା ପରେ ମାଜିଷ୍ଟ୍ରେଟଙ୍କ କୋର୍ଟର ନିଷ୍ପତ୍ତି ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ଦସ୍ତଖତ ପାଇଁ ପଠାଯିବ। ତେବେ ଏହି ରାୟ ଭିତ୍ତିରେ ଉଭୟ ପକ୍ଷ ମଧ୍ୟ ହାଇକୋର୍ଟରେ ଅପିଲ କରିବେ ବୋଲି ମନେ କରାଯାଉଛି।

ପ୍ରତ୍ୟର୍ପଣ ୱାରେଣ୍ଟରେ ୧୯ ମାର୍ଚ୍ଚ ୨୦୧୯ରେ ନୀରବ ମୋଦୀଙ୍କୁ ଗିରଫ କରାଯାଇଥିଲା ଏବଂ ପ୍ରତ୍ୟର୍ପଣ ମାମଲା ସଂପର୍କରେ ଅନେକ ଥର ଶୁଣାଣି ବେଳେ ସେ ୱାଣ୍ଡସୱର୍ଥ ଜେଲରୁ ଭିଡିଓ ଲିଙ୍କ ଜରିଆରେ ଯୋଡି ହେଉଥିଲେ। ଜାମିନ ପାଇଁ ତାଙ୍କର ବହୁଥର ଆବେଦନ କରିଥିଲେ । ତେବେ ସେ ଫେରାର ହେବା ଆଶଙ୍କା ରହିଥିବାରୁ ମାଜିଷ୍ଟ୍ରେଟ କୋର୍ଟ ଏବଂ ହାଇକୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିଥିଲେ ।

ସିବିଆଇ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଦ୍ୱାରା ରୁଜୁ ହୋଇଥିବା ମାମଲାଗୁଡ଼ିକରେ ନୀରବ ମୋଦୀଙ୍କୁ ଭାରତରେ ଆପରାଧିକ ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ବ୍ୟତୀତ ଭାରତରେ ତାଙ୍କ ବିରୋଧରେ ଅନ୍ୟ କେତେକ ମାମଲା ମଧ୍ୟ ରୁଜୁ ହୋଇଛି।

Comments are closed.